Unknown

 

 

 

 

 

 

 

 

 

 

 

ଅକ୍ଷତ

ଶ୍ରୀ ଚକ୍ରଧର ଆଚାର୍ଯ୍ୟ

 

ସୂଚିପତ୍ର

 

୧.

କି ସୁଖର ଦିନ ପଡ଼େ ଆଜି ମନେ

୨.

କଥା-ଲଥା

୩.

ମୁରଲୀ

୪.

ପାଠ-ଶାଠ

୫.

ପ୍ରେମ ମିଳନ

୬.

ଆତ୍ମଚିନ୍ତା

୭.

ଭାବନା

୮.

ଅନ୍ଧାରେ ଆଲୋକ

୯.

ତୁଠ ପଥର

୧୦.

କୃଷକ

୧୧.

କାମନା

୧୨.

ମନ-ଦୁଃଖ

୧୩.

ଚିକି

୧୪.

ହସି-ଖୁସି

୧୫.

ଫୁଲ

୧୬.

ନଦୀ

୧୭.

ନାଉରୀ ଭାଇ

୧୮.

ଶାନ୍ତି

୧୯.

ଧନ-ମାନ

୨୦.

ଦିଆ-ନିଆ

୨୧.

ଉଷାଗମେ କୃଷକ

୨୨.

ଭଦାଳିଆ

୨୩.

ପାଣି ଯମୁନା

୨୪.

ପୁଳିନ୍ଦ କୁମାରୀ

୨୫.

କେତକୀ

୨୬.

କୁମୁଦିନୀ

୨୭.

ଆଶା

୨୮.

ଆବାହନ

୨୯.

ଦୁର୍ଭିକ୍ଷ ଭେରୀ

୩୦.

ଆଶା-ଲତା

୩୧.

ସୂର୍ଯ୍ୟମୁଖୀ

୩୨.

ସ୍ତବ

୩୩.

ଗୋଲାପ

୩୪.

ସୁଖସ୍ୱପ୍ନ

୩୫.

ମା

୩୬.

ଶୁକପକ୍ଷୀ

୩୭.

ଉଦ୍‌ବୋଧନ

୩୮

ବିଧବା

୩୯.

ସନ୍ଧ୍ୟା

୪୦.

ମାଗୁଣି

୪୧.

ପଥିକ

୪୨.

ଅକ୍ଷତ

Image

 

କି ସୁଖର ଦିନ ପଡ଼େ ଆଜି ମନେ

 

କି ସୁଖର ଦିନ

ପଡ଼େ ଆଜି ମନେ,

ସ୍ମରି ଯା ଲୋତକ

ଝରଇ ନୟନେ ।

ଥିଲା ଦିନ ଯେବେ

ଜନନୀ ଚୁମ୍ବନ,

ଲଭେ ଅନୁକ୍ଷଣ,

ଆଜି ତା ସ୍ୱପନ ।

 

 

କିଏ ଦେଲା ମୋତେ

ସେ ଚୁମ୍ବୁ ଛଡ଼ାଇ,

ଜଗତର ଦୁଃଖ

ଚୁମ୍ବନେ ଜଡ଼ାଇ ।

ମାତାସ୍ନେହ କ୍ରୋଡ଼-

ନୀଡ଼ ଦୋଳେ ଦୋଳି

ସ୍ୱପନ ସଙ୍ଗୀତ

ମନ ପ୍ରାଣ ଖୋଲି ।

 

 

ଗାଉଥିଲି କେତେ

ଝଞ୍ଜାବାତ ସଙ୍ଗେ,

ଆଜି କାଳେ ମନ୍ଦ-

ଅନିଳ-ତରଙ୍ଗେ ।

ଭୟ ହେଲେ ଝିଙ୍କି

ଜନନୀ-ଅଞ୍ଚଳ,

ଲୁଚାଉ ଥିଲି ମୁଁ,

ବଦନ-କମଳ ।

 

 

କାନି ପଣତ ତା,

ଥିଲା ଲୌହ ବର୍ମ,

ଅଚ୍ଛେଦ୍ୟ ଅଭେଦ୍ୟ

ମୋ କୋମଳ ମର୍ମ୍ମ ।

ଅଛି ସେ ଜନନୀ

ଅଛି ସେ ଅଞ୍ଚଳ,

ଲୋଡ଼େ ନା ମୁଁ ତେଣୁ

ଜୀବନ ଚଞ୍ଚଳ ।

 

 

ଫିଙ୍ଗିଛି ସେ ସାଞ୍ଜୁ

ଆପଣେ ଆପଣ,

ହୃଦୟେ ବାଜୁଛି

ଶତ ପ୍ରହରଣ ।

ମଧୁପ-ଚୁମ୍ବିତ

ସୁରଭି ସୁମନ,

ରଜନୀ-ରଞ୍ଜନ

ବିମଳ କିରଣ ।

 

 

ଦେଖିଥିଲି ପୂର୍ବେ

ଆଜି ମୁଁ ଦେଖୁଛି,

ଆକାଶ ପାତାଳ-

ପ୍ରଭେଦ ମଣୁଛି ।

ବସନ୍ତେ ବିହଙ୍ଗ

ମଧୁର କାକଳି

ତରଙ୍ଗିଣୀ-କଳ-

ସଙ୍ଗୀତ-ଲହରୀ ।

 

 

ଶୁଣିଥିଲି ପୁଣି

ଶୁଣୁଅଛି ଆଜି,

ମନତ ତେସନ

ତହିଁ ନୁହେ ରାଜି ।

ଜ୍ୟୋତ୍‌ସ୍ନା, ସୁମନ

ସମାନ ବିମଳ

ଚନ୍ଦନ-ଶୀତଳ

ସୁରଭି ସୁନ୍ଦର;

 

 

ନଦୀ ଜଳ ସ୍ୱଚ୍ଛ

କଳ ବିମୋହନ

କୂଜଳ-ମଧୁର,

ଫୁଲ୍ଲ ପକ୍ଷୀ ସମ

ଥିଲା ଏ ଅନ୍ତର,

ବୁଝୁଥିଲି ତେଣୁ

ବାଇ ସର୍ବେ ପ୍ରାଣ-

ବିମୋହନ, ବେଣୁ ।

 

 

ଡାକୁଥିଲେ ମୋତେ

ନିର୍ଜନେ ନୀରବେ ।

ହୃଦ ନାଚୁଥିଲା

ଆନନ୍ଦ ବିଭବେ ।

ଆଜି ସେ ସରଳ

ମଧୁର ଅନ୍ତର

ସମ୍ପାଦି ରଖିଛି

ତୀବ୍ର ହଳାହଳ;

 

 

ଯେଣେ ଚାହେଁ ତେଣେ

ସବୁ ଯାଏ ଜଳି

ବିଷ ବହ୍ନି ଉଠେ

ହୃଦୟେ କନ୍ଦଳି ।

Image

 

କଥା-ଲଥା

 

କଥା ବୋଲେ-ଲଥା ସଖି କାହିଁକି ଗରବ ?

ମୋର ବିନା ନୁହେ ତୋର ଅସ୍ତିତ୍ୱ ସମ୍ଭବ ।

ଲଥା କହେ ମୋର ଯୋଗୁଁ ତୋହରି ଗୌରବ

ମୁଁ ନ ଥିଲେ ତୁ ଜଗତେ ପାନ୍ତୁ ପରାଭବ ।

କବି କହେ କଳିଗୋଳେ ନାହିଁ ପ୍ରୟୋଜନ

ସଖୀ ଦୁହେଁ ସାଥି ହୋଇ ତୋଷ ଜନମନ ।

Image

 

ମୁରଲୀ

 

ବାଜେ ମନ୍ଦେ ମନ୍ଦେ କି ମଧୁର ଛନ୍ଦେ

ବିଶ୍ୱେ ଗୋପାଳ-ମୁରଲୀ,

ଡାକେ ତୋଳି ସ୍ୱର ନଚାଇ ଅନ୍ତର

ପାଷାଣ ଯାଏ ତରଳି ।

ଶୁଣି ସେହି ସ୍ୱର ଗଛରେ ପତର

ହୃଦୟ ନ ପାରେ ଧରି,

ମନ୍ଦ ସମୀରଣେ ଦୋଳି ଘନଘନେ

ରଚେ ପ୍ରେମ-ଫୁଲ କଳି ।

କାନନେ ସୁମନ ଶୁଣି ସେହି ସ୍ୱନ

ନାଚେ, ମନ ଉଚ୍ଚାଟନ;

ବୃନ୍ତଦରେ ବସି ସୁଖେ ହସି ହସି

ବାସ କରେ ବିତରଣ ।

ଫୁଲୁଁ ଫୁଲେ ଅଳି ଗୁଞ୍ଜରି ଗୁଞ୍ଜରି

ଚୁମ୍ବେ ମନ ଆନନ୍ଦରେ,

ମଧୁପାନ ଛଳେ ପ୍ରେମରସବଳେ

ପଡ଼ି ମୁରଲୀ-ହୁନ୍ଦରେ ।

ଶୁଣି ବଂଶୀସ୍ୱନ ବନଦେବୀ ମନ

ଅନୁରାଗେ ଛନ ଛନ

ପୁଷ୍ପାଞ୍ଜଳି କରେ ପୂଜେ ହୃଦୟରେ

ବଂଶୀଧାରୀ-ଶ୍ରୀଚରଣ ।

ବସି ଶୁକ ଶାରୀ ପଢ଼ନ୍ତି ଉଚ୍ଚାରି

ମୁରଲୀ-ମହିମା ଗୀତି,

ବିହଙ୍ଗ ପଙ୍କତି ପାଳି ଧରିଛନ୍ତି

ପ୍ରେମେ ଡୁବୁ ଡୁବୁ କ୍ଷିତି ।

କୁରଙ୍ଗ କୁରଙ୍ଗୀ କରି କେତେ ଭଙ୍ଗୀ

କୁଞ୍ଜେ କୁଞ୍ଜେ ବିହରନ୍ତି,

କହ କାହା ଆଶେ ହୃଦୟ ଉଲ୍ଲାସେ

ଗ୍ରୀବା ଟେକି ଚାହିଁଛନ୍ତି ।

ତରଙ୍ଗିଣୀ ଧନୀ- ପ୍ରାଣେ ସେହି ଧ୍ୱନି

ସାତ୍ତ୍ୱିକ ଭାବ ସଞ୍ଚାରି

ପ୍ରେମରେ ମତ୍ତାଏ      ହସାଏ କନ୍ଦାଏ

ତା ହୃଦ ନୁହେ ସମ୍ଭାଳି ।

ବେଗେ ଥରି ଥରି ଧୀରେ ଢ଼ଳି ଢ଼ଳି

ଚାଲଇ ବାଧା ନ ମାନି

ସିନ୍ଧୁ ଭୁଜ ଦୋଳେ ଦୋଳି ପ୍ରେମଭୋଳେ

ଫିଙ୍ଗେ ଲଜ୍ଜା ଭୟ ଗ୍ଲାନି ।

ପ୍ରଶାନ୍ତ ସାଗର ଅତି ଉତ୍ତରଳ

ପ୍ରାଣସଖୀ ସଙ୍ଗେ ବସି,

ଚାହେଁ ତୀରେ ବନେ ଅଥବା ଗଗନେ

କେଉଁ ଦିଗୁଁ ଶୁଭେ ବଂଶୀ ।

ଶୁଣି ସେ ମୁରଲୀ ଜ୍ୟୋତିଷ୍କ ମଣ୍ଡଳୀ

କେନ୍ଦ୍ରରେ ରବିକି ରଖି

ବେଢ଼ି ନାଚୁଛନ୍ତି ତାରା ପନ୍ତି ପନ୍ତି

ଚଉପାଶରେ ଦର୍ଶକୀ ।

ସ୍ୱନ ତାନ ମାନେ ବିଦ୍ୟାଧାରୀମାନେ

ଗାଆନ୍ତି ସୁଧା ସଙ୍ଗୀତ,

ଶୁଣେ ତାର ଶ୍ରୁତି ଯାର ଚିତ୍ତବୃତ୍ତି

ବିଶ୍ୱପ୍ରେମେ ଉଦ୍ଦୀପିତ ।

Image

 

ପାଠ-ଶାଠ

 

ଖାଲି ପାଠରେ କେବଳ ନ ଚଳେ ସଂସାର,

ପାଠ ସଙ୍ଗେ ସଙ୍ଗେ ଶାନ ବଡ଼ ଦରକାର ।

ଶାଠ ପୁଣି ପାଠ ଛଡ଼ା ନୁହେ ପ୍ରୟୋଜନ

ପ୍ରତ୍ୟକ୍ଷ ପ୍ରମାଣ, ନୁହେ କପୋଳ ରଚନ ।

ପାଠ ଶାଠ ରଖେ ଯେହୁ ଗଣ୍ଠି ମୁଠି କରି,

ସୁରୁଖୁରୁ ସଂସାରଟି ଯାଏ ତାର ଚଳି ।

Image

 

ପ୍ରେମ ମିଳନ

 

ତରଙ୍ଗିଣୀ ଧାଏଁ ହସି

ଅମ୍ବୁନିଧି ସଦନେ,

ପଙ୍କଜିନୀ ଧୀରେ ଚାହିଁ

ବସିଥାଏ ତପନେ,

ସୁଜନେ, କଇରବିଣୀ

ମୁଦେ ଶଶଲାଞ୍ଛନେ;

କେତେ ଆଶା ହୃଦେ

ପୋଷା ସୁଖ ପ୍ରେମ ମିଳନେ ।୧।

ଦରବିକଶିତ କଳି

ଫୁଟେ ଅଳି ଚୁମ୍ବନେ,

ପ୍ରେମ-ଜୟ-ଗୀତି ଉଠେ

ସାରା ବିଶ୍ୱଭୁବନେ ।

ସୁଜନେ, ତାପସକୁଳ

ବନେ ନିଦିଧ୍ୟାସନେ

ଯୋଗେ ରତ ଦିବାନିଶି

ଆତ୍ମାରାମ ମିଳନେ ।୨।

Image

 

ଆତ୍ମ ଚିନ୍ତା

 

ସଭା ସମିତି ରଟଇ ମୋର ଖ୍ୟାତିଗୀତି,

କେତେ ମୋ ଯଶକେତନ ଉଡ଼େ ନିତି ନିତି,

ପୁଣି ବଜାଇ ନାଗରା

ଜଗତ ମେଲାଇ ଦିଏ ମୋ ନାମ ପସରା ।୧।

 

ଅନ୍ତର ଧ୍ୱନିକୁ ଥରେ ଡେରିଲେ ଶ୍ରବଣ

ଶୁଣେ ମୁଁ ଟମକ ବାଜେ ଘୋରେ ଘନଘନ,

ଜନ ନାଗରା ଦଦରା

ଭୁଲନା ଭୁଲନା ଭୂଢ଼ ! ତୋ ଆତ୍ମ ଶୃଙ୍ଖଳା ।୨।

Image

 

ଭାବନା

 

ଭାବନା, ତୁ ଦଗାଦିଆ

ଜାଣି ନ ଥିଲି,

ତୋର ଦଗାବାଜି କଥା

ଏବେ ବୁଝିଲି ।

ବରାଙ୍ଗନା ବାରାଙ୍ଗନା

ରୂପ-ମାଧୁରୀ

ଦେଖି, ପୁଣି ଶୁଣି ତାର

କଥା ଚାତୁରୀ

ଯୁବକ ଚପଳ ମନ-

ଭୃଙ୍ଗ ଯେସନେ

ଲାଖେ ମଧୁପାନ ଭ୍ରମେ

ପ୍ରେମ-ସୁମନେ

ଫେରେ ଅଶାନ୍ତ ମାନସେ

ଭକ୍ଷି ଗରଳ,

ନିଃସାର ସୁସାର ଅଙ୍ଗ

ହୃଦ ଦୁର୍ବଳ;

ତୋ ମୋହିନୀ-ମୂର୍ତ୍ତି

ଦେଖି ମନ ତେସନ

ଲାଖିଗଲା ତୋହ ପ୍ରେମ-

ଫୁଲେ ବହନ,

ଲେଉଟି ଆସି ଦେଖୁଛି

ନୁହେ ମୋହନ

ଜ୍ୱଳନ ପରି ସେ ଛାତି

କରେ ଦହନ ।

Image

 

ଅନ୍ଧାରେ-ଆଲୋକ

 

ଉଆଁସ ରାତିରେ ପଡ଼େ

ମେଘ ଟିପି ଟିପି,

ଚାଲୁଛି ବାଟୋଇ ବାଟ

ପାଦ ଚିପି ଚିପି ।

ଥରେ ଥରେ ମାରିଦିଏ

ବିଜୁଳି ମଝିରେ

ସରପାଟି ଚାଲିଯାଏ

ସେ ଢିପେ ଗହିରେ ।

ଚାଲି ଚାଲି ଏହିପରି

ବାଟ ହୁଏ ଶେଷ,

ଘର ପାଖ ହେଲେ ଆଉ

ଚିନ୍ତା କି ବିଶେଷ ?

ବାଟୋଇ ଚାଲିଲା, ବାଟ

କେ ନେବ କଢ଼ାଇ

ମୋର ଉଆଁସ ରାତିରେ

ସେ ଗଲା ଶିଖାଇ ।

Image

 

ତୁଠ ପଥର

 

ତୁଠ ନିରିମଳ ପାଣି ଗଙ୍ଗାଜଳ

ମୁଗୁନି ପଥର ପଡ଼ିଛି

ମସ୍ତକ ପତାଇ ଲହରୀ ବାଳାର

କେତେ ପଦାଘାତ ସହିଛି ।

ତାଳେ ତାଳେ ନାଚି ଢଳଢଳ ବୀଚି

ଗର୍ବେ ପୁଣି ପୁଣି ଧାଉଁଛି;

ମନେ ମନେ ହସି ଶିରରେ ପଥର

ଫେନ-ପଦ-ରେଣୁ ଘେନୁଛି ।

ଯିଏ ଆସେ ତାର ଚରଣ ଘର୍ଷଣ

ସହିବାକୁ ପିଠି ପାତିଛି

ପରଲାଗି ଯେଣୁ ଆତ୍ମସୁଖେ ବଳି

ଦେବାକୁ ସଦା ସେ ଶିଖିଛି ।

ସହୁଥାଇ ଯେତେ କ୍ଲେଶ ଅବିରତେ

ତେତେ ସ୍ନିଗ୍ଧ ସେତ ଦିଶୁଛି ।

ପାଖେଇ ଆସିଲେ ତା ଅନ୍ତିମକାଳ

ତାର ଧୈର୍ଯ୍ୟ ସେ କି ଛାଡୁଛି ?

ନିଦାଘେ ପ୍ରଚଣ୍ଡ- ମାର୍ତ୍ତଣ୍ଡ କିରଣ

ଗଡ଼ି ଅଙ୍ଗ ତାର ଦହୁଛି

ଶ୍ରାବଣର ଧାରା ପଡ଼ି ନିରନ୍ତର

କେତେ କଷ୍ଟ ତାକୁ ଦେଉଛି ।

ମାଘ ମାସ ଶୀତ ବଡ଼ ନିଦାରୁଣ

ଶିରାରେ ଶିରାରେ ଭେଦୁଛି,

କାହିଁକି ସେ ତିଳେ ଭ୍ରୁକ୍ଷେପ ନ କରି

ସହଳ-ମନ୍ତର ଜପୁଛି ।

Image

 

କୃଷକ

 

ଶ୍ରାବଣ ମାସର

ବୃଷ୍ଟିଧାରା

ପଡ଼ିବାରୁ କ୍ଷେତ୍ର

ନୀରେ ଭାରା ।

ଶସ୍ୟେ ସୁଶ୍ୟାମଳା

ଦିଶେ ଧରା

କୃଷକର ମନ-

ନେତ୍ର ହରା ।

ଝୁପୁଝୁପୁ ମେଘୁଁ

ଜଳ ପଡ଼େ,

ଗଗନରୁ କିବା

ମୁକ୍ତା ଝଡ଼େ !

ସମୀରଣ ବହେ

ମନ୍ଦ ମନ୍ଦ

ସଙ୍ଗେ ଆଣି ବନ-

ମଲ୍ଲିଗନ୍ଧ ।

ଶୀତେ କମ୍ପେ ଦେହ

ଥର ଥର

ବାଜଇ ଦାନ୍ତୁରି

ଦଶନର ।

ହୁତାଶନ ଅତି

ସୁଖକର

ସୁଖୀ ବସି ସେବେ

ନିରନ୍ତର ।

କିନ୍ତୁ ଏ ଦୁର୍ଦ୍ଦିନେ

କୃଷକର

ହୃଦେ ଝରେ ମୁଦ

ଝର ଝର ।

ତାଳପତ୍ର ଝାମ୍ପି

ଶିରପରେ

ବହି, ସୁଖେ କ୍ଷେତ୍ରେ

କାର୍ଯ୍ୟ କରେ,

ମଳିନ ବସନ

ତା ଶରୀରେ

ରହିଅଛି ଜଡ଼ି

ତିନ୍ତି ନୀରେ,

ପାଦଠାରୁ ତାର

ଶିରଯାଏ

ପଙ୍କ-ବିନ୍ଦୁ-ତିଳ

ଶୋଭା ପାଏ ।

ଉଇଁଲାରୁ ରବି

ଅସ୍ତଗତ

ହେବାଯାଏ କୃଷୀ-

ବଳ ରତ

ଥାଏ କାମେ, କ୍ଲାନ୍ତି

ନ ଜାଣଇ;

ପାଣିପରି ଦିନ

ଯାଏ ବହି ।

ମଧୁର ସରଳ

ତାର ପ୍ରାଣ

ନାହିଁ ଲେଶ ଗର୍ବ

ଅଭିମାନ ।

ଧାନ କମଣ ତା

ଏକା ଲୟ

କୁଚିନ୍ତା ନ ଜାଣେ

ତା ହୃଦୟ

ବିଳାସେ ବ୍ୟସନେ

ନାହିଁ ମତି

କର୍ତ୍ତବ୍ୟ ସାଧନେ

ମତି ଗତି ।

ଆହା ରେ ମୋ ପ୍ରିୟ

କୃଷୀବଳ !

ସୁଖେ ଦୁଃଖେ ଧୀର

ତୋ ଅନ୍ତର ।

ତୋ ଗୀତ ସରଳ

ସୁଲଳିତ,

ସମୀର ହିଲ୍ଲୋଳେ

ଉଚ୍ଛ୍ୱସିତ

ମୋ ହୃଦୟ-ବୀଣା

ଛିଣ୍ଡା ତାରେ

ବାଜଇ ମଧୁରେ

କେଡ଼େ ତାରେ ।

ବିପୁଞ୍ଚୀ ବିତାନେ

ସୁଖକର

ଗାୟକ ଲଳିତ

କଣ୍ଠସ୍ୱର

ପଡ଼ିଅଛି ଶ୍ରୁତି-

ପଥେ କେତେ,

କିନ୍ତୁ ନ ଲଭିଛି

ସୁଖ ଏତେ ।

ମଧୁମାସ ହେଲେ

ଚୁତ ଶାଖେ

ପିକ ବସି କୁହୁ

କୁହୁ ଡାକେ;

ଶୁଣିଛି ସେ ସୁଧା-

ମୟ ଜ୍ଞାନ,

ତୋ ଗୀତ ସଙ୍ଗେ କି

ସେ ସମାନ ?

କାହିଁରେ ଶୀତଳ

ନୁହେ ପ୍ରାଣ

ତୋ ଗାନକୁ ଡେରି-

ଥାଏ କାନ ।

ଭାବ ଅର୍ଥ ତହିଁ

କିଛି ନାହିଁ;

କେ ଜାଣି କାହିଁକି

ହୁଏ ବାଇ

ଶୁଣିବାକୁ ତୋହ

ମଧୁଗୀତି,

ତୋର ପ୍ରତି ଜାଗି-

ଉଠେ ପ୍ରୀତି ।

ରେ ପ୍ରୟ କୃଷକ !

ଦେଖି ଥରେ

ଶୁଣାଅ ତୋ ଗାନ

ମଧୁ ସ୍ୱରେ,

ଶୁଣିବି ବାସନା

ପୂର୍ଣ୍ଣ କରି

ଗାଇବି ସଙ୍ଗୀତ

ତୋର ପରି ।

Image

 

କାମନା

 

ଜଗତ ତୁଳକେ କେଡ଼େ କ୍ଷୁଦ୍ର ମୁହିଁ

କେଡ଼େ ବଡ଼ ମୋର କାମନା

କ୍ଷୁଦ୍ରଠାରୁ କ୍ଷୁଦ୍ର ହୋଇସିନା ମୁହିଁ

ଲୋଡ଼ୁଛି ଗଗନ ଚନ୍ଦ୍ରମା ।

ଆକାଶ-କୁସୁମ-ଚୟନେ ମୋ ମନ

ଚିନ୍ତୁଛି କେତେ କି ବିଫଳ ପ୍ରଯତ୍ନ

କି ଛାର କଥାରେ ମୁଗ୍ଧ ହେଉଅଛି

ବୁଝାଇଲେ ମନ ଅମନା ।

ଦୈନ୍ୟ ସୁତା ଭିକ୍ଷା ଚିର ସହଚରୀ

କ୍ଷଣେ ଛାଡ଼େ ନା ମୋ ଅଗଣା

ମନେ ମନେ କିନ୍ତୁ ମନ ଅଟ୍ଟାଳିକା

ଗତି ପୂରାଏ ମୁଁ ବାସନା,

ରାଜଅଧିରାଜ ସିଂହାସନେ ବସି

କେତେ କଥା ଚିନ୍ତେ ତଥି ମୁଁ ବିଳସି

ପଲକେ ପୁଣି ମୁଁ ତଳେ ପଡ଼ି ଖସି

କେତେ ସହୁଥାଇ ଲାଞ୍ଛନା ।

କି ମୋହିନୀ ଶକ୍ତି ଜାଣୁ ଲୋ କମାନା,

ଜଗତେ ନାହିଁ ତା ତୁଳନା

ଦୁଃଖ ତରୁମୂଳେ ଜଡ଼ାଇ ରଖିଲୁ

ଯେତେ ଛଡ଼ାଉଛି ଛାଡ଼େ ନା ।

ଦୁଃଖେ ଚିରଦିନ ରହି ଏ ଜୀବନ

ଯିବ କି ଭୋନାଥ ହୃଦୟ-ରତନ !

ଜଣାଏ ଚରଣେ ତୋହ ବିନୁ ଆନ

କାମନା ମୋ ପ୍ରାଣେ ଦିଅନା ।

Image

 

ମନ-ଦୁଃଖ

 

ମନ ଦୁଃଖ ମରେ

ମନେ ମନେ,

କାନନ-ସୁମନ

ଯେହ୍ନେ ବନେ

ମୂଳେ ଗଡ଼େ ସଢ଼େ

ଡ଼େମ୍ଫୁ ଝଡ଼ି

ଧୂଳି ସଙ୍ଗେ ମିଶେ

ପଡ଼ି ପଡ଼ି,

ମନ ଦୁଃଖ ମରେ

ମନେ ମନେ,

ବଂଶ କୀଟ ଯେହ୍ନେ

ବଂଶ ସନେ,

କାଟୁ କାଟୁ କୀଟ

ବଂଶ ଗଲା

ବଂଶ ସଙ୍ଗେ ସଙ୍ଗେ

କୀଟ ମଲା ।

ମନ ଦୁଃଖ ମରେ

ମନେ ମନେ

ଯାର ଦୁଃଖ ଏକା

ସେହି ଜାଣେ

କେ ନୁହେ କାହାର

ଏ ଜଗତେ,

କା ଦୁଃଖେ କେ ଭାବେ

ହୃଦଗତେ ।

ମନ- ଦୁଃଖ ମରେ

ମନେ ମନେ

ଜାଣିବାକୁ ଅଛି

ଏକା ଜଣେ ।

ଡାକିଲେ ଆସଇ

ସେ ବିମୁଖ,

ନୋହି, ଦୁଃଖ ନେଇ

ଦିଏ ସୁଖ ।

Image

 

ଚକି

 

ଯାକୁ ବୋଲୁଅଛି

ମୋର ମୋର,

ଦିନେ ସେ ବୋଲେ ନା

ତୋର ତୋର,

ଯତ୍ନେ ବଳିଥିଲି

ସ୍ନେହ ଡୋର

ବାନ୍ଧିବାକୁ, ଭାଇ !

ପୋଥି ମୋର,

ଦିନେ ଯାଇ ଦେଖେ

ତା କତିକି

ପୋକକଟା ପୋଥି

ଟିକି ଟିକି;

ପୋଥି ବନ୍ଧା-ଆଶା

ମଉଳିଲା,

ନୂଆ ଆଶା ପୁଣି

ବଉଳିଲା-

ଏ ରଜ୍ଜୁରେ ବାନ୍ଧି

ମୋର ଚକି

ଉଡ଼ାଇବି ନଭେ

ଯେହ୍ନେ ପକ୍ଷୀ

ଉଡ଼ି ଉଡ଼ି ଲୁଚେ

ଗଗନରେ

ଚକି ନିଭିଯିବ

ଇଥରରେ ।

Image

 

ହସି-ଖୁସି

 

ହସି ହସି ଦିନ ଯାଏ,

ଦିନେ ନୁହେ ଖୁସି

ହସି ହସି ତୋଟି ଫାଟେ,

ହୃଦ କାଟେ ମୁଷି ।

ହାସ ମୁଖ ଦେଖାଇ ମୁଁ

ପରକୁ ହସାଏ ।

ଏଣେ କିଏ ପୁଣି ମୋର

ପରାଣ କନ୍ଦାଏ ।

ଧନ୍ୟ ରେ ସମାଜ ତୋତେ

ତୁ କିମ୍ପା ହସାଉ ।

ଚହଟ ଚିକ୍କଣ ମୁଖ, (ହୃଦ)

ଜଳେ ଦାଉ ଦାଉ ।

Image

 

ଫୁଲ

 

ଫୁଲଟିଏ ଫୁଟି

ବହିରୁପବନେ

ମନ୍ଦେ ମନ୍ଦେ ନାଚି

ସଞ୍ଜ ସମୀରଣେ

ଲାବଣ୍ୟ-ଲହରୀ-

ଦୋଳାରେ ଖେଳୁଛି

ବସି ବୃନ୍ତପରେ

ଲଳିତେ ହସୁଛି,

ଦିଶେ କି ମଞ୍ଜୁଳ

ଗୋଧୂଳି ରାଗରେ

ଝର ଝର ସଦା

ମାଧୁରୀ କି ଝରେ ?

ଥର ଥର କମ୍ପେ

ଡାଳରେ ପତର

କୁସୁମଟି ତହିଁ

ପୁଣି ଢଳ ଢଳ ।

କି ମନୋହାରିଣୀ

ଶିରୀ ଅପରୂପ

ଦଳେ ଦଳେ ଶୋହେ,

ମାନସ-ମଧୁପ

ଲାଖି ଯାଇ ତହିଁ

ସେ ଶୋଭା-ସଦନ

ଛାଡ଼ିବାକୁ କେବେ

ନ ବଳାଏ ମନ ।

ଦେଖିଲେ ନୟନ

ନ ଲଭେ ତୃପତି

ବଳୀ ହୋଇ ତହିଁ

ବାନ୍ଧଇ ବସତି

ଆସିବାକୁ ଫେରି

ନ କରେ ଯତନ,

ଲାବଣ୍ୟର ଆହା

କିବା ପ୍ରଲୋଭନ !

ବହି ଆଣେ ବାସ-

ସମୀର ମଳୟ,

ଆଘ୍ରାଣି ସୌରଭ

ନାସିକା ଅଥୟ

ଆମୋଦ-ଆକୁଳେ

ପଡ଼ଇ ଉଲୁସି;

ହୃଦ ପଦ୍ମକଳି

ଉଠଇ ବିକଶି ।

ପରାଗେ ରଞ୍ଜିତ

କୋମଳ କେଶର

ମରୁତ ପରଶେ

ନାଚେ ଥର ଥର,

ମକରନ୍ଦ ପଡ଼େ

ବିନ୍ଦୁ ବିନ୍ଦୁ ଝରି

ଭମର ଭ୍ରମରୀ

ପିଅନ୍ତି ଗୁଞ୍ଜରି ।

ଘଟାଏ ଜଗତେ

ବିଧି ନିବନ୍ଧନ ।

କି ବେଗରେ ପୁଣି

କି ପରିବର୍ତ୍ତନ

ଆଜି ଯେ ସୁମନ,

ଶୋଭାର ଆକର

ମଉଳୀ କାଲି ସେ

ଧୂଳିରେ ଧୂସର ।

ଫୁଲର ସମୟ

ହେଲାଣି ନିକଟ

ରହିବ ନାହିଁଟି

ଏ ଶୋଭା-ଚହଟ

ନିଭିଯିବ କ୍ଷଣେ

ନିୟତି ଆଦରି

ତପନ ଉଦୟେ

କୁହେଳିକା ସରି ।

ମାନବ । କିଲାଗି

ବୃଥା ଆଡ଼ମ୍ବରେ

ମାତିଅଛୁ ଏହି

ମର ଜଗତରେ ?

ଝଞ୍ଜାବାତେ ଦିନେ

ତୋ ଲାବଣ୍ୟତନୂ-

ଲତା ଝାଉଁଳିବ

ପାସୋରିଲୁଁ ମନୁଁ !

ଯୌବନ ସୁମନ

ବୃନ୍ତୁ ପଡ଼ି ଝଡ଼ି

ଧୂଳି ସଙ୍ଗେ ମିଶି

ଯିବ ପଚି ସଢ଼ି;

ରହିଥିବ ତୋର

ସୁନାମ ସୌରଭ;

ବୁଝି କାର୍ଯ୍ୟ କର

ଛାଡ଼ ତୋ ଗରବ ।

Image

 

ନଦୀ

 

ଲହରୀମାଳିନୀ ଦୂର ପ୍ରବାହିନୀ

ନଦୀ ଗିରି ପଦୁଁଝରି

ଧାଏଁ ତରତର ନାଚି ଢଳଢଳ

ସାଗର ପ୍ରେମ ସୁମରି ।

ଯେତେ ଆଗେ ଯାଏ ତେତେ ବଢ଼ୁଥାଏ

ଦ୍ୱିଗୁଣ ତାର ସାହସ

ଲଙ୍ଘି ଅବିରାମ କଠିନ ପାଷାଣ

ବହେ ହୋଇ ହସ ହସ ।

ସାଗର ତା ଧ୍ୟାନ, ସାଗର ତା ପ୍ରାଣ

ସାଗର ଜୀବନ ଧନ;

ସାଗର ସୁଖ୍ୟାତି ରଟେ ଦିବାରାତି

କରି କଳକଳ ସ୍ୱନ ।

ନିକଟ ଯେତେ ସେ ହୁଏ ଅବଶେଷେ

ତେତେ ତା ହୃଦ ବିସ୍ତାର

ବଢ଼େ, ସୁମୋହନ- ମୂର୍ତ୍ତି ଅନୁକ୍ଷଣ

ଦିଶେ ଗମ୍ଭୀର ଉଦାର ।

ପାରାବାର ସଙ୍ଗେ ମିଶି ତା ଉତ୍ସଙ୍ଗେ

ଭୁଞ୍ଜେ ଚିର ସୁଖ ଶାନ୍ତି

କଳନିନାଦିନୀ ତରଙ୍ଗିଣୀ ଧନୀ

ପ୍ରେମାଳାପେ ସଦା ମାତି ।

ସାଧୁର ଜୀବନ- ସ୍ରୋତତ ଏସନ

ସରଜି ପ୍ରେମ-କଲ୍ଲୋଳ

ପ୍ରେମେ ବଳୀୟାର ହୋଇ ଅନିବାର

ଲୋଡ଼େ କୃପାସିନ୍ଧୁ କୋଳ ।

Image

 

ନାଉରୀ ଭାଇ

 

ଝୁପୁଝୁପୁ ପଡ଼େ ବରଷାର ବାରି

ସୁରୁସୁରୁ ବହେ ବାଆ;

କାହିଁ ଯାଉଛୁ ରେ ନାଉରୀଆ ଭାଇ !

ତରତର ବାହି ନାଆ ?

ଦୁଇକୂଳ ଖାଇ ବଢ଼ି ଅଛି ନଈ

ଦେଖିଲେ ମାଡ଼ଇ ଡର,

ଦୂରୁଦୂରୁ କମ୍ପେ ମୋହରି ଅନ୍ତର,

ତୋ ଛାତି ଏଡ଼େ ପଥର !

ରଙ୍ଗେ ଖେଳି ଖେଳି ଦୋହଲି ଦୋହଲି

ଧାଇଁ ଆସୁଛି ଲହରୀ

ବିସ୍ତାରି ବଦନ ଉଗାରିଣ ଫେନ

ଗ୍ରାସିବାକୁ ପରା ତରୀ !

ନାହିଁ ତିଳେ ଭୀତି କି ସାହସଭରେ

ଚାଲିଛୁ ନାଉରୀ ଭାଇ !

ମନଆନନ୍ଦରେ ପୁଲଳିତ ସ୍ୱରେ

ମଧୁର ସଙ୍ଗୀତ ଗାଇ ।

ସଂସାର-ସରିତ ବହୁଛି ଆଗରେ

ସଦା ଦୁଇକୂଳ ଖାଇ,

ତୋପରି ଦିନେ କି ପାରିହେବି ଦମ୍ଭେ

ବିଭୁନାମ ସୁଖେ ଗାଇ ?

Image

 

ଶାନ୍ତି

 

ଖୋଜିଲିଣି କେତେ କେତେ ବା ଖୋଜିବି ?

ଦେହେ ନାହିଁ ଆଉ ବଳ;

ବୁଲି ବୁଲି ପାଦୁଁ ପାଣି ମୋ ମଲାଣି

ଶୁଖିଲାଣି ହୃଦ-ସର ।

ଦେଖିଲି ସୁମେରୁ ପୁଣି ତ କୁମେରୁ

ପଶିଲି ଜଳଧିତଳେ,

ଦେଖିଲି ଗଗନେ, ଗମିଲି ନନ୍ଦନେ

କାହିଁ ନ ଦେଖିଲି ଥରେ ।

ଭ୍ରମିଲେ କି ହେବ,       କିଏ କାହୁଁ ଦେବ ?

ଅଛି ପାଖେ ମୋ ରତନ,

ଗଳାମାଳି ଗଳେ ପଡ଼ିନାହିଁ ତଳେ

ଖୋଜେ କିପାଁ ତ୍ରିଭୁବନ ?

Image

 

ଧନ-ମାନ

 

ମାନ ଯାଉ ବୋଲେ ଲୋଭୀ

ରହୁ ମୋର ଧନ,

କହେ ମାନୀ ଯାଉପଛେ

ମୋ ଧନ ଜୀବନ

ଥାଉ ମାନ, ଗଲେ ସେତ

ଆଉ ନ ଫେରିବ,

ଧନ ଗଲେ ପ୍ରାଣ ଥିଲେ

ଅନେକ ମିଳିବ;

ଲୋଭୀ ଭଣେ ଫମ୍ପାମାନେ

କିସ ପ୍ରୟୋଜନ ?

ଧନ ଗଲେ ଗଲା ସିନା

ଜୀବନ କାରଣ ।

Image

 

ଦିଆ-ନିଆ

 

ଦିଆ ନିଆ ଲାଗିଅଛି

ନିଖିଳ ସଂସାରେ,

ଦେଇ ନେବା କଥା ଭଲ

ମହତ ବେଭାରେ ।

ନ ଦେଇ ନେବା ଲୋଡ଼ିଲେ

କାହୁଁ ବା ମିଳିବ ?

ମହତ ଜନକୁ ସେ କି

ସୁନ୍ଦର ଦିଶିବ ?

‘‘ଦିଅ, ଭାଇ ! ନିଅ’’ ଏହା

ସୁଜନ-ସୁରୀତି

ନ ବୁଣି କାଟିବା ବାଞ୍ଛା

ଅସଙ୍ଗତ ନୀତି ।

Image

 

ଉଷାଗମେ କୃଷକ

 

ଉଷା କାଳେ ପ୍ରାଚୀ କୋଳେ

ତରୁଣ ତପନ

ଖେଳଇ ଆନନ୍ଦେ,

ମୁଖ ଅରୁଣ ବରଣ ।

ଲଭି ତା ଶୀତଳ କର

ଲଭି ତା ମାଧୁରୀ

ନବ ଜାଗରଣେ ଫୁଲେ

ହୃଦୟ ସବୁରି ।

 

 

ନାହିଁ ସେହି ଅବସାଦ

ନାହିଁ ସେ ଜଡ଼ତା

ଅନ୍ତର-ରାଇଜେ ରାଜେ

ସଖୀ ପ୍ରଫୁଲ୍ଲତା ।

ଖେଳଇ ଜୀବନ-ସ୍ରୋତେ

ଉତ୍ସାହର ଢ଼େଉ

ଲାଗିଲେଣି ସର୍ବେ କାର୍ଯ୍ୟେ

ବସି ନାହିଁ କେହୁ ।

 

 

ସରଳ କୃଷକ ଅଙ୍ଗେ

ଖଣ୍ଡେ ମୋଟା ଖଦି-

ଶିରେ ଝାମ୍ପି ଦେଇ,

କାନ୍ଧେ ଲଙ୍ଗଳକୁ ଲଦି,

ବଳଦ ଦିଓଟି ତାର

ଯୁଆଳିରେ ଛନ୍ଦି,

ପାଞ୍ଚଣ ହାତରେ ଯାଏ

ବିଭୁପଦ ବନ୍ଦି ।

 

 

ହୃଦୟ ଆନନ୍ଦଭରା

ପଡ଼ୁଛି ଉଚ୍ଛୁଳି

ଫିଟି ପଡ଼ିଅଛି ସୁଖ-

ସଙ୍ଗୀତ-କୁଥୁଳି ।

ଶିଖି ନାହିଁ ଜୀବନରେ

ନିକିତି ଓଜନ

ଢଳେ କେଉଁଦିଗେ କଣ୍ଟା

ନାହିଁତ ସ୍ମରଣ,

 

 

ଆନନ୍ଦ ନିଶାରେ ଭ୍ରମେ

ଆନନ୍ଦ-ବଜାରେ

ଆନନ୍ଦ ସଉଦା କିଣି

ମନର-ମଜାରେ ।

Image

 

ଭଦାଳିଆ

 

ଦେଖ ଶାଖୋଟକ ଶାଖାରୁ

ଭଦାଳିଆ ପକ୍ଷୀଟି

ଉଡ଼ି ଯାଉଅଛି ମେଲାଇ

କି ବିଚିତ୍ର ଶାଟୀଟି,

ଥରେ ଊର୍ଦ୍ଧ୍ୱେ ଥରେ ତଳକୁ

ଥରେ ତେର୍ଚ୍ଛା ରଭସେ

ତରୁଣ-ଅରୁଣ-କିରଣେ

ଖେଳେ ପକ୍ଷୀ ହରଷେ ।

ଝଲସି ଉଠୁଛି ବିହଙ୍ଗ

ଅଙ୍ଗ-ନୀଳ ବରନ

ଦେଖିଲା ଜନର ମାନସେ

ଜନମାଇ ଚେତନ ।

ଭାବ ଦେଖି ଥରେ, ମାନବ !

ତୋର କେଡ଼େ ଗରବ

ଦେଖାଇ ତୋ କର-ରଚନା

କାରିଗର ପାଟବ ।

କେତେ ହାତୀ ଘୋଡ଼ା ବିହଙ୍ଗ

କେତେ ତରୁ ଲତିକା

ନାନାବିଧ ରଙ୍ଗେ ରଞ୍ଜାଇ

ରଚିଛି ତୋ ତୂଳିକା

କେତେ ଦେବ ଦେବୀ ମହାତ୍ମା-

ଜନ-ଚିତ୍ର-ପଟ୍ଟିକା-

ଅଙ୍କନେ ତୋ କର କୁଶଳ

ଖ୍ୟାତି ରଟେ ପତ୍ରିକା

ଏଡ଼େ ଚାରୁ ନିତ୍ୟ ନୂତନ

ମୂର୍ତ୍ତିମତୀ ମାଧୁରୀ

ଫୁଟାଇ ପାରେ କି, ମାନବ,

ତୋ ରଚନା-ଚାତୁରୀ ।

ଛାଡ଼ିଦିଅ ଏବେ ହୃଦୟୁ

ଚିରପୋଷା ଗୁମାନ,

ତୋ ଚାତୁରୀ କେବେ ହେବ କି

ପ୍ରକୃତିର ସମାନ ।

 

Image

 

ପାଣି ଯମୁନା

 

ସରସୀ ଚଞ୍ଚଳ ସଲିଳେ

ନାଚେ ପଦ୍ମ ଫୁଲଟି,

ପାଣି ଯମୁନା ମୋ ନାଚୁଛି

ସମୀରରେ ଚହଟି ।

ଶ୍ୱେତ ରକ୍ତ ପୀତେ ଚିତ୍ରିତ

ନୀଳ ପକ୍ଷ ଦୁଇଟି,

କେଡ଼େ ସୁଶୋଭନ ଦେଖି ନ-

ପଡ଼େ ନେତ୍ରପଟିଟି ।

ଦେଖାଇ ତଳକୁ ଯମୁନା

ସରୁ ଲମ୍ବ ଚଞ୍ଚୁଟି

କହୁଛି ରାଜୀବ ଦେଖ ରେ

ମୋର ଚିତ୍ର ତନୂଟି ।

ଧୀର ସମୀରଣେ ଆନ୍ଦୋଳି

ଭାରକେନ୍ଦ୍ର ସମ୍ଭାଳି

ରହିଛି ଗଗନେ ବିହଙ୍ଗ

ନିମ୍ନେ ଦୃଷ୍ଟି ତାହାରି ।

ଶଫରୀ ଚଳନ ସଙ୍କେତ

ସ୍ଥିର ଜଳ ଉପରେ

ପଡ଼ିଗଲେ ଥରେ ଭାଗ୍ୟକୁ

ପକ୍ଷୀ ଦୃଷ୍ଟିପଥରେ ।

ଚିଲାମାରି ନେବ ଯମୁନା

ଦେଖୁଁ ଦେଖୁଁ ପଲକେ,

ଖସିବାକୁ ଚଞ୍ଚୁମୁନରୁ

ତାକୁ ଆଉ ଦେଲା କେ ।

ଲକ୍ଷ ଶିଖିବାକୁ, ମାନବ,

ଖୋଜୁଛୁ କି ନମୁନା

ଦେଖ ଦେଖ ତୋର ଆଗରେ

ନାଚୁଛି ମୋ ଯମୁନା ।

Image

 

ପୁଳିନ୍ଦ କୁମାରୀ

(୧)

 

ଢଳ ଢଳ ନିଶାକର

ତୁଷାର ଧବଳ,

ପ୍ରଶାନ୍ତ ଗମ୍ଭୀର ନୀଳ

ଗଗନ ମଣ୍ଡଳ ।

ଚାନ୍ଦିନୀ ଯାମିନୀଂ ଶାନ୍ତି-

ମୋହନ ମନ୍ତର

ଭୟରେ ନୀରବେ, ସର୍ବେ

ସୁଶାନ୍ତ ଅନ୍ତର ।

ଚୂତ କାନନରେ ମୋର

ପୁଳିନ୍ଦ କୁମାରୀ

ବସିଛି ଆନନ୍ଦ ମନେ

ହୃଦେ କି ବିଚାରି ।

ଦିନମଣି କର-ମ୍ଲାନ

କୁମୁଦ କଳିକା

ବିକଶି ଉଠୁଛି କିବା

ପରଶି ଚନ୍ଦ୍ରିକା !

ଶବର – ପିଞ୍ଜର- ମୁକ୍ତ

ସାରିକା ନାୟିକା

ରହିଛି କି କାନ୍ତ ଆଶେ,

ତା ପ୍ରେମ ପ୍ରେମିକା ।

 

(୨)

 

ଜନକ ଜନନୀହୀନା

ସରଳା ବାଳିକା

ଦରିଦ୍ରତା-କୀଟ-କଟା-

କୁସୁମ-କଳିକା,

ଭ୍ରମୁ ଭ୍ରମୁ ଦିନେ ଦୀନ-

ବେଶରେ ମାର୍ଗରେ

ପଡ଼ିଲା ବୃଦ୍ଧ ପୁଳିନ୍ଦ

ନୟନ-ପଥରେ,

ନେଲା ଘରେ ବାଳିକା ସେ

ଦେଖି ତା ମାଧୁରୀ

ସୂତ-ଗଳାହାର ଭାବେ

ସରଳା ଚତୁରୀ ।

ଛାଇତଳେ ବଢ଼ି ପୁଣି

ଯତନେ ଲଳିତା ।

ଯୌବନେ ଚହଟି ଉଠି

ହେଲା ସେ ଲଳିତା ।

କାମୁକ ଏ ରୂପ ଦେଖି

ସ୍ଥବିର ପୁଳିନ୍ଦ,

ଫୁଟିଲା ଫୁଲେ ଲାଖିଲା

ତା ମନ ମିଳିନ୍ଦ ।

କୁମାର- ହୃଦୟ-କୁଞ୍ଜେ

ତା ପ୍ରେମ ସାରିକା

ଛାଡ଼ିଛି କୁମାରୀ ଆନେ

ନୁହେ ସେ ରସିକା ।

ସରଗ ଅପ୍‍ସରା କ୍ରୂର

ପିଶାଚ କବଳୁ

ମୁକତି ଲଭିବା ଆଶେ

କାନ୍ତ ସଙ୍କେତରୁ

ବସିଛି କାନନେ ଆଜି

ପ୍ରଫୁଲ୍ଲ ଅନ୍ତରେ;

ଉଡ଼ିବ ପକ୍ଷିଣୀ ପକ୍ଷୀ-

ସହ ଦେଶାନ୍ତରେ ।

Image

 

କେତକୀ

 

କଣ୍ଟକ ଆସନେ ବସି

କେତକୀ ମୋ ହସି ହସି

ଢାଳଇ ଜଗତ ସାରା

ସୌରଭ ଧାରା ଯେ ।

ଶୁଭ୍ର ତନୂ ଢଳ ଢଳ

ଦିଶେ କିବା ମନୋହର

ଜିଣି ଜାମ୍ବୁନଦ କାନ୍ତି

ଦିଶେ ତା ଭାତି ଯେ ।

ସୁଧା ବୋଳା ମୁଖ ଖଣ୍ଡି

ଦେଇଛି କେଶରେ ମଣ୍ଡି

କେତକୀ ଚାରୁ ହାସିନୀ

ହୃଦ-ହ୍ଲାଦିନୀ ଯେ ।

କହୁନାହିଁ ପଦେ କଥା

ତଥାପି ମୋ ହୃଦବ୍ୟଥା

ଘୁଞ୍ଚେ ତା ଭାବ ଅନ୍ତରେ

ଯେଣୁ ସଞ୍ଚରେ ଯେ

ଦୂରେ ଥାଇ ସେ ଚହଟେ

ପାଶେ ବାସ ନ ପ୍ରକଟେ

ଏ ବିଧି ସିନା ବିଧିର

ବୁଝେ ସୁଧୀର ଯେ ।

ନାହିଁ ଭେଦାଭେଦ ତିଳେ,

ଯିଏ ଆସି ପାଖେ ମିଳେ

ସ୍ନେହେ ତାକୁ କୋଳେ ଧରେ

ସର୍ପେ ଭ୍ରମରେ ଯେ ।

ନାହିଁ ଭୀତି ହୃଦୟରେ

ତେଣୁ ସିନା ଆଷାଢ଼ରେ

ଶୁଣି ଘନ ଗରଜନ

ଏତେ ପ୍ରସନ୍ନ ଯେ ।

ବୁଝ କି ସାଧୁ ଅନ୍ତର

କେତକୀ-ଗୁପ୍ତ-ମନ୍ତର

ଲଭି ତା ମହତୀ ଦୀକ୍ଷା

ଦିଅଇ ଶିକ୍ଷା ଯେ ।

Image

 

କୁମୁଦିନୀ

 

ଅବିଳମ୍ବି ଅସ୍ତାଚଳ

ବାସର-ରଞ୍ଜନ

ଲୋହିତ କିରଣେ ରଞ୍ଜି

ବାରୁଣୀ ଗଗନ

ଲଭନ୍ତି ପରାଣ ପ୍ରିୟା-

ଅଧର ଚୁମ୍ବନ,

ରଚିଛନ୍ତି ଫଗୁଖେଳ

ଦିଗଙ୍ଗନାଗଣ ।

ଘଟଣେ ଭାଇରେ ଘେନି

ରାକା-ଶଶି-ଟିକା

ଶ୍ରାନ୍ତି ସଖୀ ସଙ୍ଗେ ବିଜେ

ରଜନୀ-ନାୟିକା ।

ହିମକର-ବୀଚି ମୁଞ୍ଚେ

ଚାନ୍ଦିନୀ ଯାମିନୀ,

ବିଳାସୀ କୋଳେ ଦୋଳଇ

ସୁଖେ ବିଳାସିନୀ ।

ଏ ସୁଖ ସମୟେ କଇଁ

ସରସୀବାସିନୀ

ଦିବସ ବିରହ ଅନ୍ତେ

ନୁଆ ରସିକିନୀ

ହେରି ନିଜ ପ୍ରାଣବନ୍ଧୁ

ଦେବ ନିଶାକର

ଅନୁରାଗଭରେ ନାଚେ,

ହୃଦୟଂ ଚଞ୍ଚଳ;

ଚାହିଁଣ ପ୍ରାଣରମଣେ

ସହାସ ନୟନେ

ଚମ୍ବଇ ସଲିଳ ବ୍ରୀଡ଼ା-

ବିନମ୍ର ବଦନେ ।

ପ୍ରେମ-ନିଶା ଜୋରେ ହୃଦ

ନ ପଡ଼େ ସମ୍ଭଳା,

ପାଗଳିନୀ ପରି ନାଚେ

ଅତି ଉତ୍ତରଳା ।

ଇଙ୍ଗିତେ ପ୍ରକାଶି କେତେ

ବିଚ୍ଛେଦ କାହାଣୀ

ଆଡ଼ରୁଷା ହୋଇ ବସେ

ସହଜେ ମାନିନୀ ।

ଭାଷି ଚାଟୁ ସୁଧାକରେ

କରି ଆଲିଙ୍ଗନ

ବୋଧନ୍ତି ପ୍ରିୟା ମାନସ

ରଜନୀରଞ୍ଜନ ।

କୁମୁଦିନୀ ନୟନରୁ

ଶିଶିରାଶ୍ରୁ ପଡ଼େ

ମାନିନୀ-ହୃଦୟୁଁ ମାନ-

ମୁକୁତା କି ଝଡ଼େ ?

ପ୍ରକୃତ ପ୍ରେମେ ଆଗେ କି

ରହେ ଅଭିମାନ ?

ଖରରୟେ ତୃଣ କାହିଁ

ନୁହେ ଭାସମାନ ?

ତେଜି ମାନ କୈରବିଣୀ

ପୀରତିବତ୍ସଳା

କାନ୍ତ-ଆଲିଙ୍ଗନେ ଖୋଲି

ପ୍ରମୋଦ ପସରାଂ

ଖେଳି ଦୋଳି ହସି ନାଚି

କାଟିଦିଏ ରାତି,

ଉଇଁଲାଣି ନଭେ ଏବେ

ତାରକା ପ୍ରଭାତୀ

ହିମକର କୁମୁଦିନୀ-

ବିରହ ଦୂତିକା

ପ୍ରେମିକ ପ୍ରେମିକା ମୁଖ

ପଡ଼ିଗଲା ଫିକା ।

ବିହଙ୍ଗ ନିସ୍ୱନେ ଦୁହେଁ

ରୋଦିଲେ ବହୁତ,

ଆଶ୍ୱାସଇ ଉଭେ କେତେ

ମଧୁର-ମରୁତ ।

ସରୋଜିନୀ ବନ୍ଧୁ ଦତ୍ତ-

ପ୍ରେମଲିପି ପଢ଼ି

ମଧୁକର ପଦ୍ମୁ ପଦ୍ମେ

ଯାଉଅଛି ଉଡ଼ି ।

ବାନ୍ଧବି ବିଚ୍ଛେଦ କଇଁ

ଭାଳି ଭାଳି ମନେ

ସଲିଳେ ପଡ଼ିଲା ଢଳି

ନିଜ ବୃନ୍ତାସନେ ।

ରାଜତ୍ୱ କରଇ ବସି

ସଂସାରେ ନିୟତି

କରେ ଦୁଃଖ ସୁଖେ ସୁଖ

ଦୁଃଖେ ପରିଣତି ।

ଚକ୍ରୀ ଚକ୍ର ପ୍ରାୟେ ସିନା

ମର ଜଗତରେ

ମାନବର ଭାଗ୍ୟଚକ୍ର

ଫେରେ ନିରନ୍ତରେ ।

Image

 

ଆଶା

 

ପରାଣସଙ୍ଗିନି ଆଶା,

କାହିଁକି ଏ ଛଳନା ?

ଲଳିତ ମୋହନ ବେଶେ

ଆଉ ଦେଖା ଦିଅ ନା,

ସଜନି, କ୍ୱଣିତ ଭୂଷା

ଚରଣରେ ଖଞ୍ଜ ନା

ଖଞ୍ଜନ-ଖଞ୍ଜନନେତ୍ରେ

ଭିନ୍ନାଞ୍ଜନ ରଞ୍ଜ ନା ।

ନନ୍ଦନର ପାରିଜାତମାଳା

ଗଳେ ପିନ୍ଧ ନା

ପୋଛିଦିଅ ଭାଲପଟୁଁ

ଗୋରଚନା-ରଚନା

ସଜନି, ମଧୁରାଧରେ

ଦରସ୍ମାତେ ହସ ନା

ଦରମରା ପ୍ରଣାୟୀକୁ

ତୋ କଟାକ୍ଷ ହାଣ ନା ।

ବିଦ୍ୟାଧରୀ ବେଶେ ତୋତେ

ଦେଖିବି ନା ନୟନେ

କଲିଣି ଏ ପଣ, ସଖି,

ଥରେ ହେଲେ ଜୀବନେ

ସଜନି, କାଳିମା ରେଖା

କିମ୍ପା ପଡ଼େ ବଦନେ ?

ସତେକି ଛାଡ଼ିବି ତୋତେ

ମୋ ଜୀବନେ ମରଣେ ।

ଫିଙ୍ଗିଦିଅ ଅଙ୍ଗୁ ବେଶ-

ଭୂଷା ପାଟ ପତନୀ

କଷାୟ ବସନ ପିନ୍ଧି

କର୍ଣ୍ଣେ ମୁଞ୍ଚ ବେଷ୍ଟନୀ

ସଜନି, ତୁଳସୀମାଳା

ସଙ୍ଗେ ନାମକରଣି

ଭସ୍ମ ବିଲେପନ ଘେନି

ରାଜ ବରବରନି !

ଋଷିକନ୍ୟା ରୂପେ ଦେଖୁ-

ଥିବି ଦିନଯାମିନୀ

ଉଟଜେ ଆର୍ଜ୍ଜବ ଶାନ୍ତି

ମୁକ୍ତି ଦେହଧାରିଣୀ;

ସଜନି, ନିରାଶ ପ୍ରାଣେ

ହେବୁ ଆଶାଦାୟିନୀ

ତୋ କ୍ଷେପଣି ଧରି ଠେଲି

ଦେବି ମୋର ତରଣି ।

Image

 

ଆବାହନ

 

ଆସ ଆସ ସଖା

ନ ହୁଅ ବିମନା,

କେହି ନ ପଚାରୁ

କାହିଁକି ଶୋଚନା ?

ମୋ ଶରୀର କକ୍ଷ

ଫିଟାଇ ଦେଇଛି,

ପ୍ରେମ ଆଲିଙ୍ଗନେ

ବାହୁ ପ୍ରସାରିଛି,

ଆସନ ସକାଶେ

ପାତିଛି ହୃଦୟ

ବସ ବନ୍ଧୁ ସୁଖେ

ନ ହୁଅ ଅଥୟ ।

ଆବାଲ୍ୟରୁ ତୁମ୍ଭେ

ଚିର ସହରର

ଦୁଃଖ ସୁଖ ବନ୍ଧୁ

ଜୀବନ ସୋଦର ।

ଜୀବନେ ଦେଖିଲି

କେତେ କେତେ ସଖା

ନିକଷେ କଷିଲି

ସମସ୍ତେ ତ ଚଖା ।

ଆସନ୍ତି ସରବେ

ବୁଝି ଯେଝା ବେଳ

ଲଗାନ୍ତି ଚହଟେ

କେତେ ପ୍ରେମଖେଳ,

ପୂରିଲେ କାମନା

ଖେଳ ଯାଏ ଭାଙ୍ଗି

ଦେଖା ନ ମିଳଇ

ମୁହୂର୍ତ୍ତକ ଲାଗି ।

ତୁମ୍ଭପରି ବନ୍ଧୁ

ଦେଖିନାହିଁ ଜଣେ

ଚିରସାଥୀ ହେଲ

ସଂସାର ଗହନେ ।

ରକ୍ତ ମେଦ ମାଂସ

ତବ ସୁଖାସନ

ସାରିଛି ଆଗରୁ,

ମୋ ଅସ୍ଥି ଚରମ

ରଖିଛି କେବଳ

ସମ୍ପାଦି ଯତନେ

ଭୁଞ୍ଜ ସଖା କିଛି

ନ ବିଚାରି ମନେ ।

ପ୍ରେମ ସମ୍ଭାଷଣ

ବହୁତ ହେଲାଣି

ମନ ବଳୁନାହିଁ

ଦେବାକୁ ମେଲାଣି

ବସିଥାଅ ବନ୍ଧୁ

ହୃଦୟ ପିଞ୍ଜରେ

ହସି ଖେଳି ପ୍ରାଣ-

ବିହଙ୍ଗ ସଙ୍ଗରେ

ତୁମ୍ଭ ମହାଶିକ୍ଷା

ଚିର ଗଣ୍ଠିଧନ

ବାନ୍ଧିଥିବି ସଦା

ଅଞ୍ଚଳେ ଯତନ-

ଦିବାନିଶି ଜପି

ସହନ-ମନ୍ତର

ଅଳି ଝଳି ତୁମ୍ଭ

ସହି ଅକାତର

ସମୟ ଆସିଲେ

ପକ୍ଷୀ ଉଡ଼ିଯିବ,

ଦୁଃଖ ଏକା ତୁମ୍ଭେ

ପଛେ ପଡ଼ିଥିବ ।

Image

 

ଦୁର୍ଭିକ୍ଷ-ଭେରୀ

 

କିହେଲା ରେ । ସୁନାର ସଂସାର ଭାଙ୍ଗିଲା ରେ ।

ଧାରା ଶ୍ରାବଣରେ, ଚଣ୍ଡାଂଶୁ ତାପରେ

ଜଳଭରା ଧରା ଶୁଖିଲା ରେ ।

ଦେଖିଣ କେଦାର କରେ ଧୂମୋଦ୍ଗାର

କୃଷୀବଳ ବୁଦ୍ଧି ହଜିଲା ରେ ।

କନା ଚିନ୍ତା ସଙ୍ଗେ ପୁଣି ଦାନା ଚିନ୍ତା

ଗଛପତ୍ରେ ପ୍ରାଣ ବସିଲା ରେ ।

ବୁଣିଥିଲା ଧାନ ଚାଷି ସୁଯତନ

ବିହନ ଆଉ ନ ପାଇଲା ରେ ।

ମେଘ ଚିହ୍ନ ବର୍ଣ୍ଣ ନ ଦେଖି ଆକାଶେ

ରବି ଆଶା ମନୁଁ ଛାଡ଼ିଲା ରେ ।

ପୌଷମାସେ ଆହା ଚାଷୀ ସର୍ବନାଶ

ଅବସ୍ଥାକୁ ଏବେ ଭଜିଲା ରେ ।

କୋଟି କଣ୍ଠେ ଉଚ୍ଚେ ହାହାକାର ରବେ

ଦୁର୍ଭିକ୍ଷର ଭେରୀ ବାଜିଲା ରେ ।

ନଅଙ୍କରେ ଥରେ ଶୁଣାଥିଲା ଏହା

ତାହାଠାରୁ ବଳି ଗର୍ଜ୍ଜିଲା ରେ ।

ମାତା ଅନ୍ନପୂର୍ଣ୍ଣା ଜନ୍ମଭୂମି-ସଖୀ-

ସଙ୍ଗ ଲାଜେ ଦୁଃଖେ ଛାଡ଼ିଲା ରେ ।

ଭୀମ ଡାକ ଶୁଣି ଯଥା କୁରୁମଣି

ସ୍କୃନ୍ଧଦେଶୁଁ ଶିରୀ ତୁଟିଲା ରେ ।

ଧାନ ମାଣ ଆଣେ, ସୂତାଖିଅ ପଣେ

ଚଣାମୂଳ ମୁଗୁଁ ବଳିଲା ରେ ।

ବାରଙ୍ଗା ବୁଲିଲେ ମାଣ୍ଡିଆ ନ ମିଳେ

ଦେଶ ଛାରଖାର ହୋଇଲା ରେ ।

ଚଷା ବାପୁଡ଼ାଟି ହଳ ବଳ ବିକି

ପାଞ୍ଚଣ ଚାଳରେ ଖୋସିଲା ରେ ।

କଂସା ଲୋଟା ସାରି କପାଳ ଆଦରି

ଦୁଃଖେ ଘଡ଼ି ବଢ଼ା ଆସିଲା ରେ ।

ଘର ବାହାରରୁ ସବୁ ଶେଷ ଦେଖି

ନାକେ କାନେ ହାତ ମାଇଲା ରେ ।

 

ନୋଳି ନାକଚଣା ବିକି ଫୁଲଗୁଣା

ଚାଷୁଣୀ ହାତକୁ ଚାହିଁଲା ରେ ।

ଉତ୍ତାରି ଗୋଟିକି ଗୋଟି ଖଡ଼ୁ ମୁଦି

ପାଟସୂତା ଖିଏ ବାନ୍ଧିଲା ରେ ।

ସବୁ ସରିଗଲା ଦେଖି ନିରିମାଖୀ

ପେଟେ ଓଦାକନା ଲଦିଲା ରେ ।

ପେଟ ଛଟପଟ ସମ୍ଭାଳି ନପାରି

କିଏ କେଉଁ ବାଟ ପାଞ୍ଚିଲା ରେ ।

ଲଜ୍ଜା ଭୟ ଗ୍ଲାନି ମହତ୍ତ୍ୱ ନ ଜାଗି

କର୍ଣ୍ଣେ ଯାହା ଶୁଣା ନଥିଲା ରେ

ସ୍ୱାମୀ ଯାଏ ଛାଡ଼ି ପତ୍ନୀ ପୁତ୍ର କନ୍ୟା

ଚଷାର ସଂସାର ସରିଲା ରେ ।

ମାଆ ନିଏ କାଢ଼ି ପୁଅହାତୁଁ ଅନ୍ନ

ଜନନୀ ମମତା ଛିଡ଼ିଲା ରେ ।

ରାଜ୍ୟ ଛାଡ଼ି କିଏ ପରିବାର ସଙ୍ଗେ

ଆସାମକୁ ବାଟ କାଟିଲା ରେ ।

କେତେଦିନ ପାଇଁ ଅବା କିଏ ଜାଣେ

ଆମଦେଶୁଁ ହାଟ ଉଠିଲା ରେ ।

କଟକେ ଚହଟା ଡିପୋଘରଠାରେ

ସରଦାରି କାମ ବଢ଼ିଲା ରେ ।

ଯା ହେବାର ହେଉ ଧନ୍ୟ ସେ ଆସାମ

ଲକ୍ଷ ଲକ୍ଷ ପ୍ରାଣୀ ପୋଷିଲା ରେ ।

ଯିଏ ଚାଲିଗଲା ସିଏ ତରିଗଲା

ପେଟକୁ ଦିମୁଠା ପାଇଲା ରେ ।

କାହିଁ ଅବା କେହି ଦୁଃଖ କଷ୍ଟ ସହି

ମାଟିକି କାମୋଡ଼ି ରହିଲା ରେ ।

ତାର ଦୁଃଖ ସିନା ହେଲା ଅସରନ୍ତି

କବି ବଚନକୁ ବଳିଲା ରେ ।

ଦୁଇଦିନେ ଥରେ ନମିଳିଲା ମୁଠେ

ହାଡ଼ରୁ ମାଉଁସ ଝଡ଼ିଲା ରେ ।

ପିଠି ପଛପାଖେ ପେଟ ଲାଗିଗଲା

ନୟନ କୋଟରେ ପଶିଲା ରେ ।

ଗଣି ହୋଇଯାଏ ଅସ୍ଥି ଖଣ୍ଡି ଖଣ୍ଡି

ଯୌବନେ ବୃଦ୍ଧତ୍ୱ ଆସିଲା ରେ ।

ପୋଡ଼ା କପାଳକୁ ନିରାଟ ନିଦା

ବନେ ଫଳ ମୂଳ ନୋହିଲା ରେ ।

ଯାହା ହେଲା ତାହା ବନୁଁ ଆଣିବାକୁ

ଅଙ୍ଗରୁ ଶକତି ତୁଟିଲା ରେ ।

ଅଶ୍ୱଥି ପତର ଅଣ କଦଳିଆ

ଶାଳ ଫଳ ଯାହା ମିଳିଲା ରେ ।

ଟୋଲକ କଞ୍ଜାରି ସୁକୁମାର ନର

ଛେଳିପରି ଆହା ଚରିଲା ରେ ।

ଲହଙ୍ଗା ଚାକୁଣ୍ଡା କେନାସିରି ଶାଗ

କେତେକ ଜୀବନ ରଖିଲା ରେ ।

ଅନ୍ନଛିଡ଼ା ପେଟେ ପଡ଼ି ପୁଣି କାର

ବାତାଜୀର୍ଣ୍ଣେ ପ୍ରାଣ ହରିଲା ରେ ।

କାହିଁ କିଏ ଗଛ- ମୂଳେ ବସୁଁ ବସୁଁ

ପ୍ରାଣ-ବିହଙ୍ଗଟି ଉଡ଼ିଲା ରେ ।

ଯେ ଯେତେ କ୍ଷାରକେ ଉପାୟ ବାନ୍ଧିଲେ

ସବୁ ସିନା ବ୍ୟର୍ଥ ହୋଇଲା ରେ ।

ଧନିକ ବଣିକ ଦୁଃସ୍ଥରକ୍ତ ଶୋଷି

ପେଟକୁ ବଢ଼ାଇ ବସିଲା ରେ,

ପାଞ୍ଚଟଙ୍କା ଚିଜେ ପାଞ୍ଚବୋଡ଼ି ଦେଇ

ସାର କଚେବାର ବାହିଲା ରେ ।

ଶାସକେ ତଡ଼ାଗ କୂପ ଖୋଳାଇଲେ

ରାଜପଥେ କାମ ଲାଗିଲା ରେ;

ସ୍ଥାନେ ସ୍ଥାନେ ସେବା- ସମିତି ବସିଲା

ଅନ୍ନଛତ୍ର କେତେ ଖୋଲିଲା ରେ ।

ନ ହେଲା ସମ୍ଭାଳି ଖରସ୍ରୋତ କିଏ

ବାଲିବନ୍ଧେ କେବେ ରୋଧିଲା ରେ ।

ସକଳ ଉପାୟ ଗଲା ଫୁଟି ଫାଟି

ବିଧାତା ବିଧାନ ଜିଣିଲା ରେ ।

Image

 

ଆଶା-ଲତା

 

ବାସନ୍ତି ସମୀର

ବହେ ଧୀର ଧୀର,

କିମ୍ପା ଲୋ ଲତିକେ !

ଏଡ଼େ ତୁ ଅଧୀର ?

ଉଠୁଛୁ ପଡ଼ୁଛୁ

ହସୁଛୁ କାନ୍ଦୁଛୁ ।

ଗଗନେ ଅନାଇଁ

ଭୂତଳେ ଚୁମ୍ବୁଛୁ

କି ବିଭିନ୍ନଭାବ

ଜାଗି ତୋ ଅନ୍ତରେ

ଆଣିଦିଏ ସୁଖ,

ପୁଣି ଦୁଃଖ ପରେ ?

ବସନ୍ତ ମାଧୁରୀ

ଦେଖି ହସ ହସ

ନିଦାଘ ସୁମରି

ପୁଣି କି ବିରସ ?

ମୋ ଆଶା ନବୀନା

ହେଉଛି ସୁଖିନୀ

କରି ତୋତେ ତାର

ଜୀବନ ସଙ୍ଗିନୀ ।

ସୁକୁମାରୀ ଧନୀ

ଦିବସ ଶର୍ବରୀ ।

ଉଠୁଛି ପଡ଼ୁଛି

ସଦା ତୋହସରି ।

ଦୁଇ ଭାଗ୍ୟେ ସମ

ଲଲାଟ ଲିଖନ

ତେଣୁ ‘‘ଆଶା-ଲତା’’

ବିଚିତ୍ର ତୁଳନ ।

Image

 

ସୂର୍ଯ୍ୟମୁଖୀ

 

କନନ ବରନେ

ଚାରୁ ସୂର୍ଯ୍ୟମୁଖି !

ତୋ ପରି ଦିନେ କି

ମୁହିଁ ହେବି ସୁଖୀ ।

କାହିଁକି ଲୋ ହାସେ

ପୂରିଛି ବଦନ

କାହା ପ୍ରତି ଏଡ଼େ

ସ୍ଥିର ତୋ ନୟନ ?

 

 

ଦେଖିକି ତପନ

ତୋ ଜୀବଜୀବନ

ହେଉଅଛି ମନ

ଏଡ଼େ ଛନ ଛନ ?

ମୋହିଛି ତୋତେ କି

ଦେବ ତପନର

ଚିତ୍ତ-ଆକର୍ଷକ

ମୋହନ ମନ୍ତର ।

 

 

ବିନ୍ଦୁ ବିନ୍ଦୁ ପଡ଼େ

ପ୍ରେମ-ମକରନ୍ଦ,

କହିଲେ ନ ସରେ

ତୋ ହୃଦ ଆନନ୍ଦ ।

ଧନ୍ୟ ସୂର୍ଯ୍ୟମୁଖି !

ଧନ୍ୟ ତୋ ଜୀବନ

ଜୀବିତେଶେ ଭକ୍ତି

ତୋର ଅତୁଳନ ।

 

 

ତପନ ତୋ ଧ୍ୟାନ

ତପନ ଜୀବନ,

ଯେଣେ ଦିନକର

ତେଣେ ତୋ ବଦନ ।

ତୋର ଏ ଧରମ

ଶିଖି କିଲୋ ଦିନେ

ଚାହିଁ ରହିଥିବି

ମୋ ପରାଣ ଧନେ ?

 

 

କନକବରନେ

ଚାରୁ ସୂର୍ଯ୍ୟମୁଖି !

ସତେ କି ଲୋ ଦିନେ

ପ୍ରାଣେ ହେବି ସୁଖୀ ।

Image

 

ସ୍ତବ

 

ସୁନୀଳ ଗଗନେ ଶଶୀ ଆମୋଦ ତରଙ୍ଗେ

ଖେଳି ଘନେ ସୁଧା-ଜ୍ୟୋତ୍ସା ତାରାଗଣ ସଙ୍ଗେ

ପ୍ରଭୋ, ରଜନୀରଞ୍ଜନ

ନିରନ୍ତର କରେ ତୋର ମହିମା କୀର୍ତ୍ତନ ।

ବାରୁଣୀ ଆକାଶେ ଧରି ବିଚିତ୍ର ତୂଳିକା

ଅଙ୍କି କେତେ ଚିତ୍ର ଖୋଲି ଶୋଭା ମଞ୍ଜୁଷିକା

ପ୍ରଭୋ, ପଙ୍କଜବାନ୍ଧବ

ପ୍ରକାଶୁଛି ରଙ୍ଗେ ତୋର ଶୋଭାର ବିଭବ ।

ସୁଦୂର ଗଗନେ ବସି ଘନାଘନ କୋଳେ

ହସି ହସି ପ୍ରାଣେଶ୍ୱର ସଙ୍ଗେ ପ୍ରେମଭୋଳେ,

ପ୍ରଭୋ, କନକବସନା

ସୌଦାମିନୀ ଧନୀ ଧରେ ତୋ ନାମେ ମୂର୍ଚ୍ଛନା ।

ଦିନମଣି ପୁରୋଭାଗେ ଶୋହେ ଶତ୍ରଚାପ

ସରଜି ସପତବର୍ଣ୍ଣ ବିଭୂତି-କଳାପ,

ପ୍ରଭୋ, ଇନ୍ଦ୍ର-ଶରାସନ

ପ୍ରକଟଇ ବିଚିତ୍ର କି ତୋହରି ସର୍ଜନ ।

ଅକୂଳ ଦିଗନ୍ତବ୍ୟାପୀ ନୀଳ ପାରାବାର

ବିସ୍ତାରି ବିରାଟ କାୟା ପ୍ରଶାନ୍ତ ଉଦାର,

ପ୍ରଭୋ, ରବି-ଶଶି-କରେ

ତାଳେ ତାଳେ ନାଚି ତାଳେ ମହିମା ନିକରେ ।

ସ୍ୱଚ୍ଛନୀରା ସୁଗଭୀରା ସୁଦୂରବାହିନୀ

ସଖୀ ସହଚରୀବୃତା ଲହରୀମାଳିନୀ

ପ୍ରଭୋ, ଶଇଳ-ନନ୍ଦିନୀ

ତୋର ପ୍ରେମାଳାପେ ସିନା କଳନିନାଦିନୀ ।

ପାଷାଣବନ୍ଧୁର ଯୋଗ- ନିମଗ୍ନ ଅଚଳ

ପାଦସ ଲତିକାକୂଳେ ଶୁଭ୍ର କଳେବର

ପ୍ରଭୋ, ତୁଙ୍ଗମହୀଧର

ନୀରବେ ଗାଉଛି ‘ତୁମ୍ଭେ ଦୟାର ସାଗର ।

ନଭଶ୍ଚୁମ୍ବୀ ଗିରିଶିରେ ସମୀର ମଳୟ

ହଲାଇ ନଚାଇ ତରୁ ବଲ୍ଲରୀ-ନିଚୟ,

ପ୍ରଭୋ, ତ୍ରିଜଗତପ୍ରାଣ

ଧରିଅଛି ନଗସଙ୍ଗେ ତା ସଙ୍ଗୀତେ ତାନ

ନିକୁଞ୍ଜେ ଗହନବନେ ତରୁ ଅନ୍ତରାଳେ

ଅଥବା କୁସୁମଶୋଭୀ ପାଦପ ଶାଖାରେ

ପ୍ରଭୋ ମୟୂର ମୟୂରୀ

ଦେଖାନ୍ତି ଜଗତେ ତୋର ତୂଳିକା ଚାତୁରୀ ।

ବକୁଳ କଲି ମଣ୍ଡିତ ରସାଳ କାନନେ

ତୋ ମଧୁ ସଙ୍ଗୀତ ଗାଇ ସୁଲଳିତ ସ୍ୱନେ,

ପ୍ରଭୋ, କୋକିଳ କୋକିଳା

ବିହାର କରନ୍ତି ରଚି ନାନାରଙ୍ଗେ ଲୀଳା ।

ଢଳ ଢଳ ସୁନିର୍ମ୍ମଳ      ସରସୀ ସଲିଳେ

କଣ୍ଟକ ମୃଣାଳେ ନାଚି ମୃଦୁଳ ସମୀରେ,

ପ୍ରଭୋ, ଶୋଭାର ସାଗର

ତାମରସ ବନ୍ଦେ ତୋର ଚରଣ କମଳ ।

ମଲ୍ଲିକା କଳିକା ପୁଣି ଗୋଲାପ ମଞ୍ଜରୀ

ଫୁଟି ଚାରିଦିଗେ ସୃଜି ସୌରଭ ଲହରୀ,

ପ୍ରଭୋ, ତୋର ପବିତ୍ରତା-

ପାରାବାରୁଁ ଢାଳନ୍ତି କି ଏକ ବିନ୍ଦୁ ସତ୍ତା ।

ଅଭ୍ରେ ସାଗରେ ଭୂଧରେ ଗହନ କାନ୍ତାରେ

ଯେଣେ ଚାହେଁ ତେଣେ ଦେଖେ ନାଚି ତାଳେ ତାଳେ,

ପ୍ରଭୋ, ବିଭୂତି ତୋହରି

ପ୍ରକାଶନ୍ତି ମୁଦେ ସର୍ବେ ଦିବସ ଶର୍ବରୀ ।

ମାୟା ମମତାରେ ପଡ଼ି ଯାଇଛି ଜୀବନ,

କରୁଛି କେବଳ ମୁହିଁ ପାପ ଉପାର୍ଜନ,

ପ୍ରଭୋ, କଳୁଷନାଶନ !

ତୋର ଦୟା ବିନା ନାହିଁ ଗତି ମୋର ଅନ୍ୟ ।

ଭକ୍ତ ଜୀବନ ମୋ ହୃଦ- ପଙ୍କଜ-ତପନ

ଜଗଦାଦି ଗୁରୁନାଥ ପରମ କାରଣ,

ପ୍ରଭୋ, ଶ୍ରୀଚରଣେ ଅଳି

ଲଭି ସୁଧାକର ଫୁଟୁ ହୃଦପଦ୍ମ କଳି ।

Image

 

ଗୋଲାପ

 

ଆହା ମୋ ଗୋଲାପ ଫୁଲ ଦିଶଇ କେଡ଼େ ମଞ୍ଜୁଳ

ଧୀରେ ଧୀରେ ଦୋଳି ଉଷା ମନ୍ଦ ପବନେ,

ଉଜଳେ ଶିଶିର ମୁକ୍ତା-ଥୋପି ବଦନେ ।

 

ବାନ୍ଧିଛି କି ତରୁ ଗଭା, ବସିଛିକି ଅଳି ସଭା

ବାଳାରୁଣ କାନ୍ତି ଜିଣି ଫୁଲଟି ଝଳେ

ଆହା କି ସରଗ ଶିରୀ ଗୋଲାପ ଧରେ ।

 

ବହଇ ନନ୍ଦନବନ-       ପାରିଜାତ ସୁମୋହନ

ସୁରଭି କୁସୁମୁଁ, ଦିଗ ଉଠେ ଚହଟି,

ଆନନ୍ଦେ ନାଚୁଛି ବୃନ୍ତେ ମୋର ଫୁଲଟି ।

 

ପରାଗ ପାଣ୍ଡୁ-କେଶର ସମୀରଣେ ଥର ଥର

ଏପାଖ ସେପାଖ କେବେ ପଡ଼ୁଛି ଝୁଲି

ବୋଲିଛି କୁସୁମ ମୁଖେ ଶୋଭା ମାଧୁରୀ ।

 

ମଧୁପେ ଗୁଞ୍ଜନ କରି କୀର୍ତ୍ତି ତାର ଗୁଣାବଳି

ଧାଆଁନ୍ତି ଗୋଲାପ ପାଶେ ଗୋଟିକି ଗୋଟି,

ମଧୁଲୋଭେ ଚରଣରେ ପଡ଼ନ୍ତି ଲୋଟି ।

 

ରେ ପ୍ରିୟ ସୁମନ ମୋର ଛଣା ପୀୟୁଷରେ ତୋର

ହୃଦୟ ପେଟିକା ପୂର୍ଣ୍ଣ, ତହୁଁ ମାଧୁରୀ

ଦର ଦର ଝରିପଡ଼େ ପ୍ରାଣେ ସବୁରି ।

 

ତୋପରି ଶୁଭ୍ର ସୁମନେ କଣ୍ଟକ ବୃକ୍ଷେ କେସନେ

ରଚିବାକୁ ବିଧାତାର ବଳିଲା ମନ ?

ହେମଲତେ ଶୋହେ ସିନା ତୋର ଆସନ !

 

କି ବିଚିତ୍ର ଦେଖ ବିଧି କମଳ ଲାବଣ୍ୟ ନିଧି

ବିରାଜେ ପଙ୍କିଳ ସରେ ମୃଣାଳ ପରେ

ବାସହୀନ କିଂଶୁକ କି ସୌନ୍ଦର୍ଯ୍ୟ ଧରେ !

 

ବିହି ଅଟେ ଅବିବେକ ବୁଦ୍ଧି ନାହିଁ ତା ତିଳେକ

ଦେଖି ତା ରଚନା-ରୀତି ହୁଏ କଳ୍ପନା;

ବିଧାତା ବିଧାନେ କିମ୍ପା ଏ ବିଡ଼ମ୍ବନା ?

 

ଅବିବେକ ନୁହେ ବିଧି ଗୋପନେ ସାଧେ ସେ ସିଦ୍ଧି

ବୁଝେ ତା ସର୍ଜନା ବିଧି ମେଲି ନୟନ

ଦେଖିଲେ ମାନବ ପିନ୍ଧି ଜ୍ଞାନ ଅଞ୍ଜନ ।

 

ବିକଳାଙ୍ଗ କୁଶରୀର ହେଲେ କି ହୋଇବ ନର

ଗୁଣଘେନି ଶୋଭାପାଏ ଜନ ସମାଜେ

ତରୁ ମୋର ଫୁଲଲାଗି ଯେହ୍ନେ ବିରାଜେ ।

 

ଗୁଣହୀନ ଯେ ହୃଦୟ ଅଟେ ସେ ନୀରସମୟ

ମୋହନ ମୂରତି ତାକୁ ନପାଏ ଶୋଭା

ପଲାଶ କୁସୁମେ କାର ମାନସ ଲୋଭା ?

Image

 

ସୁଖସ୍ୱପ୍ନ

 

ଖେଳୁଥିଲି ଦିନେ

ମାତାକୋଳେ,

ଦେଖୁଥିଲି ସୁଖ-

ସ୍ୱପ୍ନ ଭୋଳେ-

ଯାପିବି ମୁଁ ସୁଖେ

ମୋ ଜୀବନ

ଫୁଲେ ପୂଜି ମାତା

ଶ୍ରୀ ଚରଣ ।

ଭକତିରେ ଯୋଡ଼ି

ବେନିପାଣି

ଛିଡ଼ା ହୋଇଥିବି

ଆଜ୍ଞା ମାନି ।

ସ୍ୱପନେ କି ଅବା

ଜାଗରଣେ

ଦେବିନାହିଁ ଦୁଃଖ

ତାର ମନେ ।

ଜନନୀ ସନ୍ତୁଷ୍ଟି-

ସାଧନରେ

ଢ଼ାଳିବି ଜୀବନ

ଜଗତରେ ।

ହୃଦ ଖଟୁଲୀରେ

ମୋର ବସି

ଚାହିଁଥିବ ମୋତେ

ହସି ହସି ।

ପୁରୁଣା ସେ କୋଳ,

ଆଜି ନୂଆ

ଅଙ୍କ ପୁଣି ମୋର

ଆଗେ ଥୁଆ ।

ନୂଆ ଦେଖି ଭୁଲେ

ପୁରୁଣାକୁ,

ଡୁହା ମେଲିଦିଏ

କରୁଣାକୁ ।

ଭାଙ୍ଗିଲା ସ୍ୱପନ,

ସବୁ ଗଲା,

ଜନନୀ ମରମେ

ପୋତିଗଲା ।

ତିଳେ ଦୋଷ ଦେଖି

ବାକ୍ୟ ବାଣ

ହାଣେ ମୁଁ, କାନ୍ଦଇ

ତାର ପ୍ରାଣ ।

ବସିଛି ମୁଁ ଯେଉଁ

ନୂଆ କୋଳେ

ସୁଖ-ସ୍ୱପ୍ନ ଦେଖେଁ

ତହିଁ ଭୋଳେ ।

Image

 

ମା

 

କାହିଁକି ମା ଲୋ

ବିଷର୍ଣ୍ଣ ବଦନ

ଢାଳୁଛି କିମ୍ପାଇ

ଲୋତକ ନୟନ ?

ଦେଖେଁ କିମ୍ପା ଆଜି

ଜଳନ୍ତା ଅନଳ

ଜାଳୁଛି ତୋ ହୃଦ-

କମଳ-କେଶର ।

ସହିଅଛୁ କେତେ

ଦୁଃଖ ଚିରଦିନ,

ଦିନେ ନ ଦେଖେଁ ମୁଁ

ତୋ ମୁଖ ମଳିନ ।

ବ୍ରହ୍ମଚର୍ଯ୍ୟ ବ୍ରତ

ନିୟମରେ ପାଳି

ପୁତ୍ର କନ୍ୟା ସ୍ନେହେ

ମନ ପ୍ରାଣ ଢ଼ାଳି

ମୁଦେ ଥିଲୁ ମଣି

ଘୋର ଦୁଃଖେ ସୁଖ ।

ଆଜିତ ବିଷାଦ

ଘୋଟିଛି ତୋ ମୁଖ,

ଦେଖୁନାହିଁ କିମ୍ପା

ସେହି ମଧୁରିମା

ଯା ଦେଖି ମାଆଲୋ

ନ ସରେ ଗରିମା ।

ଦୂରୁ ଦେଖି ମୋତେ

ମୁଖ ହସ ହସ,

ନିକଟେତ ଠିଆ

ତୁ କିମ୍ପା ବିରସ ?

‘‘ଦେଖି ନାହୁଁ ଦିନେ

ବାଳୁତ କୁମର

ମାତା ହୃଦପଟ

ଖୋଲି ସ୍ତର ସ୍ତର ।’’

ଜାଣିବୁକି ତହିଁ

କେତେ ଦୁଃଖ ଛବି

ରହିଛି ଚିତ୍ରିତ,

ହୃଦ ଯାଏ ଦବି ।

ଭାବୀ ସୁଖ ଭାବି

ସବୁ ଥିଲି ସହି

ଦୀକ୍ଷା ନେଇଥିଲି

ଗୁରୁ କରି ମହୀ ।

ସରିଲା ଭାବନା

ଆସିଲା ଯାତନା

ସୁଖସ୍ମୃତି ମୋର

ହଜାଏ ଚେତନା ।

ପୋଷିଥିଲି ଆଶା

ହୃଦୟ ଭିତର

ପୁଅ ବହୂ ସଙ୍ଗେ

ଖେଳି ଧୂଳିଘର

ସୁଖେ କାଟିଦେବି

ସମୟ ଚରମ;

ଘଟିଲା ଏବେ ତ

ବିପରୀତ କର୍ମ ।

ଦେଖେ ନାହିଁ ଦିନେ

ପୁଅକୁ ନରମ,

ଦେଖିଲେ ସେ ମୋତେ

ତା ହୃଦ ଗରମ ।

ସ୍ତମ୍ଭନ ମୋହନ-

ମନ୍ତ୍ରେ ଉଚ୍ଚାଟନ,

ପିଲାଦିନ କଥା

ଅଛି କି ସ୍ମରଣ ?

ଶିକାରୀ ସଙ୍କେତେ

ଦେଖିଲେ ଶିକାର

ମାଡ଼ି ବସେ ଶ୍ୱାନ

ଧାଇଁ ଧାତିକାର ।

ଫଳିଅଛି ତାହା

ମୋର ଭାଗ୍ୟେ ବତ୍ସ !

ଯେଣେ ଚାହେଁ ଶ୍ୱାନ

ଧରିଛି ମୋ ପଛ ।

କାନ୍ଦେ ତେଣୁ, ଶିରେ

ବରଷୁ ପୀୟୁଷ,

ମୁଁ ମରେ ପଛକେ

ହୁଅ ଚିରାୟୁଷ ।

Image

 

ଶୁକପକ୍ଷୀ

 

କାହିଁକି ରେ ଶୁକ ! କନକ ପିଞ୍ଜରେ

ବସିଅଛୁ ମନ ମାରି ?

ନିରୀହ ସରଳ ନିର୍ଦ୍ଦୋଷୀ ପକ୍ଷୀ ତୁ

ହେଲା କିଏ ତୋ ଭଗାରି ?

ହିମେ ଉଷା ମୁଖେ ନୀହାର ସୂଚାରୁ

ଦିଶେ ନବ ତୃଣପରେ;

ନିନ୍ଦି ତାର କାନ୍ତି ଅଶ୍ରୁ ବିନ୍ଦୁ ବିନ୍ଦୁ

ନୟନୁଁ ତୋ ସଦା ଝରେ ।

ପ୍ରଫୁଲ୍ଲତା ଥିଲା ଜୀବନ-ସଙ୍ଗିନୀ

ଛାଡ଼ିଗଲା ସେ କି କୀର ?

ନୀରବ ଭାଷାରେ ବିଷାଦ-ସଙ୍ଗୀତ

ଗାଉଛୁ ହୋଇ ଅଧୀର ।

କେଉଁ ଚୋର ତୋର ହୃଦୟ-କନ୍ଦରେ

ନିହିତ ଶାନ୍ତି-ରତନ

ନେଇ ଗଲାବେଳେ ନିରୀହ ମାନସେ

ଅଜାଡ଼ି ଘୋର କଷଣ ।

ପଡ଼େ ମନେ ନଦୀ- ସୁନିର୍ମଳ ଜଳ

କିବା ବନ ମଧୁଫଳ ?

କାହିଁକି ଶୋଚନା ଲଭିବୁ ସୁସ୍ୱାଦୁ

ଫଳ, ବିଦ୍ୟ ଗଙ୍ଗାଜଳ !

ଜାଗି କି କୋମଳ- ପ୍ରାଣେ ପିତା ମାତା

ଭାଇ ବନ୍ଧୁଜନ ସ୍ମୃତି

ମରମେ ମରମେ ସ୍ତରେ ସ୍ତରେ ବହି

ଭସାଇ ନିଏ ତୋ ଧୃତି ?

କହ କହ ପକ୍ଷି ! କପଟ ନ ରଖି

ତୋହର ମନୋବେଦନା,

ପ୍ରକାଶିଲେ ଲଘୁ ହୁଏ ଦୁଃଖ ଭାର

ନାହିଁ କି ତୋର ଧାରଣା ?

ଜାଣିଲିଣି ଶୁକ, ଯେଉଁ କୀଟ ତୋର

କାଟେ ହୃଦ-ପୁଷ୍ପଦଳ,

ଇଙ୍ଗିତରୁ ଫୁଟି ଉଠେ ବାହାରକୁ

ଭାବ ଗୁପ୍ତ ଅନ୍ତରର ।

ସ୍ୱାଧୀନତା ବିନା ଜଗତରେ ସାର

ନାହିଁ କିଛି ଅନ୍ୟ ଧନ,

ହରାଇ ସେ ବିତ୍ତେ ପ୍ରିୟ ପକ୍ଷି ମୋର,

କରୁଣେ କରୁ କ୍ରନ୍ଦନ ।

ସୁନୀଳ ଗଗନେ ଅନିଳ ଲହରୀ-

ଦୋଳେ ଦୋଳି ମନ୍ଦେ ମନ୍ଦେ

ବିଞ୍ଚି ସ୍ୱର-ବୀଚି ସତେ କି ଆଉ ତୁ

ଖେଳିବୁ ମନ-ଆନନ୍ଦେ ?

କଉକୁତେ ଦେଇ ଖଣ୍ଡି ଉଡ଼ା ଆଉ

ଡାଳରୁ ଡାଳେ ବସିବୁ ?

ପ୍ରେମ-ଆଳାପେ କି ପ୍ରଣୟିନୀ ସଙ୍ଗେ

ବିଜନେ ଚାଟୁ ଭାଷିବୁ ?

ସାଙ୍ଗ ସୁଖ ଜନ- ସ୍ନେହ ସମ୍ଭାଷଣ

ଲଭିବୁ ଅବା ତୁ କାହିଁ ?

ନିଶାର ସ୍ୱପନ ହେଲା ଏ ତୋପକ୍ଷେ

ଲୋଡ଼ିଲେ ମିଳିବ ନାହିଁ ।

ରତନ-ଖଚିତ କନକ-ଶୃଙ୍ଖଳ-

ବଳୟ ପିନ୍ଧି କି କେହି

ମଣାଇ ତାହାକୁ ଅଙ୍ଗ ଆଭରଣ ?

ଭୁଜଙ୍ଗ-ବନ୍ଧନ ସେହି ।

କ୍ରୀତଦାସ ଶିର ମଣ୍ଡିଲେ କିରୀଟେ

ଲଭେ କି ସେ ସୁଖଶାନ୍ତି ?

ବନ୍ଦୀ ହୋଇ କେହି ରହିଲେ ପ୍ରାସାଦେ

ଘୁଞ୍ଚେ କି ତାର ଅଶାନ୍ତି ?

ଯେଉଁ ଚୋର ତୋର ହରିଛି ହୃଦୟ-

ନିଧି ଧିକ ତାକୁ ଶୁକ,

ଶାନ୍ତି ସୁଖେ ହସ, ଭାବିଲେ କି ହେବ

ବଢ଼ିବ ଦ୍ୱିଗୁଣେ ଦୁଃଖ ।

ହେଲେ ସେ ମନୁଷ୍ୟ ଯାଏ ଆସେ କିସ

ନ ବୁଝେ ଯେ ଯଉ-ମନ

ନ ରସେ ଆକାରେ ପିଶାଚ ହୃଦରେ

ପଶୁଠାରୁ ସେ ଅଧମ ।

Image

 

ଉଦ୍‌ବୋଧନ

 

ତେଜି ଶଯ୍ୟା ଉଠ

ଉତ୍କଳବାସୀ !

ଉତ୍କଳେ ପାହିବ

ନାହିଁକି ନିଶି,

ଉତ୍କଳର ପ୍ରାଚୀ

ଗଗନେ ରବି

ସଙ୍ଗେ ଘେନି ଚାରୁ

ଲୋହିତ ଛବି

ଆଉ କି ଉଇଁବେ ନାହିଁ ?

କମଳା-ବିଳାସ

ଉତ୍କଳସରେ କି

କମଳ-କଳି ଫୁଟାଇ ?

ଦେଖ ଦେଖି ଥରେ

ମେଲି ନୟନ

ତୂଳୀ ତଳପରେ

କରି ଶୟନ

ଲଭିଣ ଉତ୍ସାହ-

ଭାନୁ କିରଣ

ଚଉପାଶେ ଧୀରେ

ଧୀରେ କେସନ

ନାଚେ ଆଶା ପଙ୍କଜିନୀ

ହୃଦୟ-ସରସେ

ଚଞ୍ଚଳ ସଲିଳେ

ଢଳି ଢଳି ସୂହାସିନୀ ।

ଜାଗ ଜାଗ ଭାଇ

ଚଞ୍ଚଳ ଜାଗ

ତୁରିତ ଆଳସ୍ୟ

କର ହେ ତ୍ୟାଗ

ସ୍ୱପନ-ଜଡ଼ିମ

ମୁଖ ପଖାଳି

କର୍ତ୍ତବ୍ୟ-ସାଧନ

କରି ସଂଖାଳି

ବାନ୍ଧି ସାହସ ନୂତନ

ରଖିଥାଅ ମନେ

ମନ୍ତ୍ରର ସାଧନ

ଅବା ଶରୀର ପାତନ ।

ନିଃସ୍ୱାର୍ଥ ପୀଠରେ

ସ୍ୱାର୍ଥ ସକଳ

ଦେଇ ବଳି, ଶକ୍ତି

ପାରୁଶେ ବର

ମାଗ ଭାଇ ଯେହ୍ନେ

ନବୀନ ବଳ

ସରଜି ଉତ୍ସାହ-

ସ୍ରୋତ ପ୍ରଖର

ପରାଣୁଁ ନେବ ଭସାଇ

ହିଁସା ଦ୍ୱେଷ-ଆଦି

ଶୈବାଳ-ମଞ୍ଜରୀ

ଉନ୍ନତି-ଢେଉ ଖେଳାଇ ।

Image

 

ବିଧବା

 

ଚନ୍ଦ୍ରାଲୋକେ ବସି

ଏ କେଉଁ ଲଳନା

କରୁଛି ଭାବନା ?

ନ ଯାଏ କଳନା ।

ପାଣ୍ଡୁର ବିବର୍ଣ୍ଣ

ବଦନ ମଣ୍ଡଳ,

କିମ୍ପା ଅଚଞ୍ଚଳ

ଚାହାଣି ତରଳ ?

ଶୁଖି ଯାଇଅଛି

ନୟନରୁ ନୀର

ଲିଭିଛି ଅଞ୍ଜନ

କୁରଙ୍ଗୀନେତ୍ରୀର ।

ଫିଟିଛି ସୂଚାରୁ

କବରୀ ବନ୍ଧନ

ପୃଷ୍ଠେ ଲମ୍ବି କରେ

ଧରଣୀ ଚୁମ୍ବନ ।

ସିନ୍ଦୂରର ବିନ୍ଦୁ

ନାହିଁ କପୋଳରେ

କପୋଳ ଅଙ୍କିତ

ଶିରାଳମାଳରେ ।

ଦେଖୁ ନାହିଁ ଆଜି

ସୁବେଶ ଭୂଷଣ,

ଆପାଦ ମସ୍ତକ

ଧୂଳି ଆଭରଣ ।

ରେଖା ରେଖି ରେଖି

ଧରଣୀ ତଳରେ

ଚମ୍ପକ ଅଙ୍ଗୁଳି

ଅଳତା ବୋଳରେ

ଗୋଳି ହେଲାପରି

ଦିଶଇ ଆରକ୍ତ,

ଥୋପି ପଡ଼େ ମନୋ-

ବେଦନା ରକତ ।

ହଜି ଯାଇଛି କି

ଜୀବନ କୁଥୁଳି ?

ଭାଳି ଭାଳି ବାଳା

ହେଲାଣି ବାତୁଳୀ ।

କେତେ ଯତ୍ନ କରି

ରଜନୀ ଦିବସ

ସାଇତି ଥିଲା ସେ

ପ୍ରାଣାମୃତ ରସ

ପ୍ରେମ ମଧୁସଙ୍ଗେ

କରି ଆସ୍ୱାଦନ

ବଞ୍ଚାଇ ଥିଲା ତା

ଅବଳା ଜୀବନ ।

ହଜିଛି କୁଥୁଳି

ତା ସଙ୍ଗେ ବଟିକା,

ଛାଡ଼ିଲାଣି ବାଳା

ପରାଣ ନାଟିକା ।

ସୁକୁମାରୀ ଶାଶୁ

ନଣନ୍ଦ ଗଞ୍ଜଣା

ସହିବ କେସନ

ଏ ଭାବ ଭାବନା

ଦେଉଅଛି ତାର

ମନରେ ପରାସ

ଜଳନ୍ତା ଅନଳେ

ଏହି କି ବତାସ ?

ଦୁଃଖିନୀ ସେ ତାର

ଶୁଭ କରମରେ

ନାହିଁ ସ୍ଥାନ ପୋଡ଼ା

ହିନ୍ଦୁ ସମାଜରେ ।

ପୋଡ଼ୁ ସେ ଧରମ

ପୋଡ଼ୁ ସେ ସମାଜ

ନାହିଁ ଯହିଁ ହିତାହିତ

ଅବା ଲାଜ ।

ବିପତ୍ନିକ କେହି

ବୟସେ ଅଶୀତି

ବିଭା କରେ କଣ୍ଠ-

ତରୁଣୀ ଯୁବତୀ,

ନୁହେ ଏ କଳଙ୍କ

ନୁହେ ଦୋଷାବହ,

କଳଙ୍କ ବାଳିକା-

ବିଧବା ବିବାହ

ଯେ ସମାଜେ ଶାସ୍ତ୍ରେ

ଏହି ଅବିଚାର

ତାକୁ ସବିନୟେ ଦୂରୁଁ

ମୋ ଜୁହାର ।

ଯେ ସମାଜ ଚାଲେ

ମାନି ଏ ଶାସନ

ରସାତଳେ ପଡ଼ି

ଯାଉ ସେ ବହନ ।

ହତଭାଗିନୀ ତୁ

ନ ହୁଅ କାତରା

ବିଫଳ ନୋହିବ

ତୋ ଲୋତକଧାରା ।

ଲୋତକଧାରା ତୋ

ନାକ-ମନ୍ଦାକିନୀ

ବୋହି ପବିତ୍ରିବ

ଭାରତ ମେଦିନୀ,

ସମାଜ-ବକ୍ଷରୁ

ସକଳ ଆବିଳ

ଧୋଇନେବ ପୁଣି

ପବିତ୍ର ସଲିଳ

ସରସେ ଫୁଟିବ

ଶୋଭନ ସାରସ,

ଉଠିବ ମହକି

ସୁବାସ ସରସ ।

Image

 

ସନ୍ଧ୍ୟା

 

ସନ୍ଧ୍ୟା ହେଲା ସନ୍ଧ୍ୟା ହେଲା

ଆରତି ବାଜିଲା,

ସନ୍ଧ୍ୟା ହେଲା ସନ୍ଧ୍ୟା ହେଲା

ଶଙ୍ଖ ଗରଜିଲା ।

ଗୋପାଳବାଳକ ଗାଏ

ପ୍ରଦୋଷ ଗୀତିକା

ମୁରଲୀ ବଜାନ୍ତି ସଙ୍ଗୀ

ବାଳକ ବାଳିକା ।

ଚରାଝାଡ଼ୁଁ ଫେରିଲେଣି

ବିହଙ୍ଗପଙ୍କତି

ପ୍ରଦୋଷ ଆରାମ କ୍ରୋଡ଼େ

ବାନ୍ଧିବେ ବସତି ।

ପ୍ରୋଷିତ ବାନ୍ଧବ ବାଳା

ମନ ଛନ ଛନ ।

ସଞ୍ଜଯୋଗେ ଦେଖି ଦିନ-

ଯାମିନୀ ମିଳନ ।

ବୈଧବ୍ୟବିଧୂରା ସଖୀ

ଗଣିଲା ଗ୍ରମାଦ

ନିଦାରୁଣ ବିଧି ଯେଣୁ

ସାଧିଲା ବିବାଦ ।

ସନ୍ଧ୍ୟାଦୀପ ଜାଳି କେହି

ପଲ୍ଲିନିବାସିନୀ

ତୁଳସୀ ଚଉରା ପାଶେ

କରଇ ଦୟିନୀ ।

ଧୂଳିଆ ବାବାଜି ତାର

ଦରିଦ୍ର ସଂଖାଳି

ଗାଉଛି ସନ୍ଧ୍ୟାବନ୍ଦନା

ଦେଇ କରତାଳି ।

ସନ୍ଧ୍ୟା ହେଲା ସନ୍ଧ୍ୟା ହେଲା

ଆରତି ବାଜିଲା,

ବାରବିଳାସିନୀ ବେଶ-

ଭୂଷଣ ସାଜିଲା ।

ବାହାରି ପଡ଼ିଲା ପଥେ

ଧନିକ ଲମ୍ପଟ

ଚହଟ ଚିକ୍କଣ ଯୁବା,

ଚଳନ ଚହଟ ।

ସନ୍ଧ୍ୟା ହେଲା ସନ୍ଧ୍ୟା ହେଲା

ଶଙ୍ଖ ଗରଜିଲା,

ନିଶା-ବିମୋହିତ ନର

ନିଦ ନ ଭାଜିଲା ।

Image

 

ମାଗୁଣି

 

ଚାହେଁ ନା ହେ ପ୍ରଭୋ; ଅମୂଲ୍ୟ ରତନ

ଚାହେଁ ନା ମୁଁ ମଣି କାଞ୍ଚନ,

ଦରକାର ନାହିଁ ରାଜସିଂହାସନେ

ସଦା ଦରିଦ୍ର ମୋ ଜୀବନ,

ଦରିଦ୍ରତା ହେଉ ଜୀବନସଂଖାଳି

ହୁଏ ପଛେ ଚିର ପଥର ଭିଖାରୀ

ଶ୍ରୀବିନୋଦପଦେ ଏତିକି ମାଗୁଣି

ପାଇବି ବାଞ୍ଛିତ ରତନ ।

ଲୋଡ଼ୁନାହିଁ ମୁହିଁ କପଟ ମନ୍ତର

ଲୋଡ଼ୁନାହିଁ ମୁହିଁ ଛଳନା,

ଖୋଜୁନାହିଁ ମାନ ଅଭିମାନ ଅବା

ଜଗତେ ସୁଖ୍ୟାତି ରଟନା

ସଜାସଜି କଥା କହୁ ନା ରସନା

କେବେହେଁ ଦୁଶ୍ଚିନ୍ତା ନ ଜାଣୁ କାମନା,

ମାଗୁଛି ବାଳକ-ସରଳ-ଅନ୍ତର

ଆଉ କିଛି ମୋତେ ଦିଅ ନା ।

 

ପୋଡ଼ୁ ପୋଡ଼ୁ ପୋଡ଼ୁ ଏ ହୃଦୟ ।।

ନିଦାଘେ ଗହନ ବନ ଶୁଷ୍କ ତୃଣ ସମାଚ୍ଛନ୍ନ

ମଧ୍ୟାହ୍ନରେ ଜଳି ଉଠି ଯେହ୍ନେ ଧୂମମୟ ।

କାଳି ବୋଳି ଯାଉ ବସି ଯେହ୍ନେ ହୀରାକଷ ମସି

କୃପାଚିହ୍ନ ଏତ ତୋର ପ୍ରଭୁ କୃପାମୟ !

ଶାନ୍ତିବାରି ନ ଲିଭାଉ ଜଳୁ ହୃଦ ଦାଉ ଦାଉ

ରହି ଭସ୍ମ-ଅବଶେଷେ ଭଜୁ ଏ ବିଲୟ ।

Image

 

ପଥିକ

 

ଆରବର ବାଲୁକା ପ୍ରାନ୍ତରେ

ଗମଇ ପଥିକ ରଙ୍ଗେ ବନ୍ଧୁ ପରିଜନ ସଙ୍ଗେ

ଯାନେ ବସି, ନ ଜାଣଇ ଆତପ ପ୍ରଖର;

କିନ୍ତୁ କେଜାଣି କାହିଁକି ତାତଇ ଅନ୍ତର ।

 

ଭୋଜ୍ୟ ଦ୍ରବ୍ୟ ଧନ ଅଗଣନ

ଶକଟେ ଶକଟେ ପୂର୍ଣ୍ଣ ତିଳେମାତ୍ର ନାହିଁ କ୍ଷୁଣ୍ଣ

ତଥାପି ପଥିକ ବଡ଼ ଅପ୍ରସନ୍ନ

ଦିନମଣି ଖରକରେ ସୁମନ ଯେସନ ।

 

ରେ ପଥିକ ହୁଅନା ଅସ୍ଥିର

ଚାହାଁ ଚାହାଁ ଥରେ ଫେରି ଜିଜ୍ଞାସୁ ନୟନ ମେଲି

ଏ ସଂସାର ମରୁଭୂମେ କେ କେତେ ଅଧୀର

ପଥିକେ ନ ଲଭି ସୁଖ ସୁଶାନ୍ତି-ସଲିଳ ।

 

ଚାଲ ଚାଲ ହୃଦେ ଧୈର୍ଯ୍ୟ ଧରି

ଗଲେ ଆଉ କିଛି ଦୂର ହେବ ତୋ ପିପାସା ଦୂର

 

 

ଜଳ ବିନା କିଛି ଲୋଡ଼ା ନାହିଁରେ ତୋହରି

ମରୁରେ ୟା ସଙ୍ଗେ ଆଉ କିଏ ହେବ ସରି ?

Image